କନକ ବ୍ୟୁରୋ: ଆଇନଶୃଙ୍ଖଳା ପ୍ରସଙ୍ଗରେ ବିରୋଧୀ ବିଜେଡି ଓ କଂଗ୍ରେସ ଅଭିଯୋଗ ଉପରେ କଡ଼ା ଜବାବ ରଖିଲେ ଆଇନ ମନ୍ତ୍ରୀ । କଂଗ୍ରେସ ଓ ବିଜେଡି ଦୁଇ ଭାଇ ହୋଇଯାଇଛନ୍ତି । ତେଣୁ ଦୁଇ ଭାଇ ହୋଇଗଲା ପରେ ଯାହା ସତ୍ୟ ଅବତାରଣା କଲେ ଭଲ ହୁଅନ୍ତା । ଦୁଇ ଭାଇ ଭଳି ବିଜେଡି ଓ କଂଗ୍ରେସ କରିଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ । ମୁଖ୍ୟମନ୍ତ୍ରୀ ଦେଇଥିବା ଶ୍ୱେତ ପତ୍ର କଣ ଘରେ ଆଲମିରାରେ ସଜେଇବା ପାଇଁ ଦେଇଥିଲେ କି ? ରାଜ୍ୟରେ ସୁଧାର ଆସିଥିବା ଆଇନଶୃଙ୍ଖଳା ପରିସ୍ଥିତି ବିଷୟରେ ଜାଣିବା ପାଇଁ ବିଧାୟକମାନେ ଜାଣିବା ପାଇଁ ଶ୍ୱେତ ପତ୍ର ଦିଆଯାଇଥିଲା ।
ପୂର୍ବ ବିଜେଡି ସରକାର ଦୀର୍ଘ ବର୍ଷ ଧରି ପୋଲିସ ବିଭାଗର ନିଯୁକ୍ତି ପ୍ରକ୍ରିୟା ବନ୍ଦ କଲା । ଥାନ ଗୁଡ଼ିକୁ ଦୁର୍ବଳ କରି ଦେଇଥିଲେ । ପୋଲିସ ମାନଙ୍କୁ କ୍ଷେତ୍ର ପ୍ରସ୍ତୁତ କରିବା, ମିଟିଂ ବ୍ୟବସ୍ଥା କରିବା ଏବଂ ବିରୋଧୀ ଦଳ ଲୋକଙ୍କୁ ଅତ୍ୟାଚାର କରିବା ପାଇଁ ବ୍ୟବହାର କରୁଥିଲା ବିଜେଡି । କିନ୍ତୁ ଆଜି ପୋଲିସ ସେଥିରୁ ବାହାରି ନିଜ କର୍ତ୍ତବ୍ୟ କରିବା ଆରମ୍ଭ କରିଛି । ୧୬ ହଜାର ଖାଲି ଥିବା ପଦବୀରୁ ଏବେ ବିଜେପି ସରକାର ୬ ହଜାର ପାଖାପାଖି ପଦବୀ ପୂରଣ କରିବା ପାଇଁ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ପୋଲିସକୁ ସଶକ୍ତ କରିବା ପାଇଁ ଗାଡ଼ି ଓ ସବୁ ପ୍ରକାର ପ୍ରକ୍ରିୟା ଚାଲିଛି । ସେ ସମୟରେ ଅପରାଧ ହାର କମିଛି । ୨୪ ରୁ ୭୨ ଘଣ୍ଟା ଭିତରେ ଅପରାଧୀ ଧରା ପଡ଼ୁଛନ୍ତି । ବିଜେପି ସରକାର ଆସିବା ପରେ ୧୮ ଟି ମାମଲାରେ ସଜା ଶୁଣେଇବା ପ୍ରକ୍ରିୟା କୋର୍ଟ କରିସାରିଲେଣି । ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେଡି ଓ କଂଗ୍ରେସ ମନ୍ତବ୍ୟ ଦେଉଛନ୍ତି ।
ସେପଟେ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିରୋଧରେ ବର୍ଷିଲା କଂଗ୍ରେସ । ଅଭିଯୋଗ କଲା, ଜାଲ ଜାତିଗତ ପ୍ରମାଣ ଦେଇ ପାଠପଢା ସହ ଚାକିରି ଓ ବିଧାୟକ, ମନ୍ତ୍ରୀ ହୋଇଛନ୍ତି ମୁକେଶ ମହାଲିଙ୍ଗ । ତେଣୁ ମନ୍ତ୍ରୀ ପଦରୁ ମୁକେଶ ମହାଲିଙ୍ଗଙ୍କୁ ବାହାର କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି କଂଗ୍ରେସ । ୨୦୦୨ ପରେ ତାଙ୍କ ଜାତି ଅନୁସୂଚିତ ଜାତି ଭୁକ୍ତ ହେଲା । ତା' ପୂର୍ବରୁ ସେ ସାର୍ଟିଫିକେଟ୍ କେଉଁଠୁ ଆଣିଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।
ଏପଟେ, ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବୋଲି ଅଭିଯୋଗ କରିଛନ୍ତି ଦଳର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । କହିଛନ୍ତି, ଆଇନଶୃଙ୍ଖଳାରେ ସରକାର ବିଫଳ ହୋଇଛନ୍ତି । ରାଜଧାନୀ ସମେତ ସାରା ରାଜ୍ୟ ଆଇନ ଶୃଙ୍ଖଳା ଭୁଶୁଡ଼ିଛି । ପୋଲିସର ନିୟନ୍ତ୍ରଣ ନାହିଁ । ବିଧାନସଭା ଭିତରେ ଆଉ ବାହାରେ ପୋଲିସ ପାରିବାପଣିଆ ଦେଖାଉଛନ୍ତି । ଭୁବନେଶ୍ୱରର ଭରତପୁର ଓ କବିସୂର୍ଯ୍ୟନଗର ଘଟଣା ଏହା ପ୍ରମାଣିତ କରୁଛି ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।