କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ, ଗତକାଲି ତାଙ୍କ ଝିଅ ଦୀପାଳି ଦାସ ମୁହଁ ଖୋଲିବା ଆଉ ଏହି ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଉଭୟ ବିଜେପି ଏବଂ କଂଗ୍ରେସ ନେତା ଏହାକୁ ନେଇ ମୁହଁ ଖୋଲିଥିବାବେଳେ, ନବ ଦାସ ହତ୍ୟା ଘଟଣାକୁ ନେଇ ପୁଣିଥରେ ସରଗରମ ହେଇଛି ରାଜ୍ୟ ରାଜନୀତି ।
କଂଗ୍ରେସର ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ କହିବା କଥା, ନବ ଦାସଙ୍କ ହତ୍ୟା ପ୍ରଥମରୁ ହିଁ ସନ୍ଦେହଜନକ । ସେହି ସମୟରେ ସେମାନେ ବିଧାନସଭାରେ ସିବିଆଇ ତଦନ୍ତ, ନଚେତ ଜୁଡିସିଆଲ୍ ତଦନ୍ତ ଦାବି କରିଥିଲେ । ହେଲେ ସେତେବେଳର ସରକାର ଏକମତ ହେଲେ ନାହିଁ ଏବଂ ତାଙ୍କ ପରିବାର ନିରବ ରହିଲେ ବୋଲି ସେ କହିଛନ୍ତି । ଏହାସହ ଏବେ କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ ଉଠିବା ପରେ ଦୀପାଳିଙ୍କ ଜ୍ଞାନ ଉଦୟ ହୋଇଛି । ନବ ଦାସଙ୍କ ହତ୍ୟା ପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଥିବା ଓଡିଶା ବାସୀ ବି କହୁଛନ୍ତି । ସେଥିପାଇଁ ସିବିଆଇ ତଦନ୍ତ ହେବା କଥା ବୋଲି ସନ୍ତୋଷ ସିଂ ସାଲୁଜା କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ତେବେ ସିବିଆଇ ତଦନ୍ତ ହେଲେ ସତ ସାମ୍ନାକୁ ଆସିଯିବ । ବିଳମ୍ବରେ ହେଲେ ବି ନବ ଦାସଙ୍କ ପରିବାରର ଜ୍ଞାନ ଉଦୟ ହେଇଛି । ଗୋପାଳ ନବ ଦାସଙ୍କୁ କାହିଁକି ମାରିଲା ? କଣ ଏମିତି ଶତ୍ରୁତା ଥିଲା? ବୋଲି ସାଲୁଜା ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ , ଖାଲି ଗଣମାଧ୍ୟମ ଆଗରେ କହିଦେଲେ ହେବନି । ଯଦି ପୂର୍ବ ସରକାର ତଦନ୍ତରେ ସେମାନେ ସନ୍ତୁଷ୍ଟ ନୁହଁନ୍ତି, ତେବେ ଲିଖିତ ଭାବେ ଜଣାଇଲେ ସରକାର ନିଷ୍ପତ୍ତି ନେବେ । ମୁଖ୍ୟମନ୍ତ୍ରୀ ବିଚାର କରିବେ ସିବିଆଇ ତଦନ୍ତ ହେବ କି ନାହିଁ । ଆମେ ମଧ୍ୟ ପୂର୍ବରୁ ପ୍ରଶ୍ନ ଉଠାଇଥିଲୁ, ଯିଏ ଗୁଳି କଲା ଧରାପଡିଲା କିନ୍ତୁ କାହିଁକି ମାରିଲା ପଚାରିଲେ ପୂର୍ବ ସରକାରଙ୍କ ପାଖରେ ଉତ୍ତର ନଥିଲା । କ୍ରାଇମବ୍ରାଞ୍ଚ ତଥ୍ୟ ବାଟକୁ ବୁଲେଇ ବୁଲେଇ ନେଉଛି । ତେବେ କେସ ରି- ଓପନ କରାଯିବ କି କଣ ହେବ, ସେନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ଖାଲି ସେତିକି ନୁହେଁ, ବିଳମ୍ବରେ ହେଲେ ବି ଦୀପାଳିଙ୍କ ମନରେ ଆସିଲା ପୂର୍ବ ସରକାରରେ କ୍ରାଇମବ୍ରାଞ୍ଚ ତଦନ୍ତ ନାଁରେ ଭୁଆଁ ବୁଲେଇ ଥିଲେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।