କନକ ବ୍ୟୁରୋ : ଦିନେ ହାତରେ ଛୁରୀ ଭୁଜାଲି ଧରୁଥିଲେ, ଏବେ ଧରିଛନ୍ତି କୋଡ଼ି କୋଦାଳ । ଆଗରୁ ଆତଙ୍କ ଖେଳାଉଥିବା ଦୁର୍ଦ୍ଦାନ୍ତ ଅପରାଧ, ଏବେ ପାଲଟିଛନ୍ତି ମାଟିର ପୁଅ । ବଡ଼ ଅପରାଧ କରି ଜେଲ୍‌ରେ ଦଣ୍ଡ ଭୋଗୁଥିବା କଏଦୀ ଫଳାଇଛନ୍ତି ସୁନାର ଫସଲ । ସବୁଜିମା ଭରା କ୍ଷେତ,କାମରେ ଲାଗିଛନ୍ତି ଲୋକ । ସେମାନେ କୌଣସି ଚାଷୀର କ୍ଷେତ ନୁହେଁ, ବରଗଡ଼ ଜେଲ୍‌ର କଏଦୀ । ଆଉ ଏଠି କାମ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଜେଲ୍‌ ଅନ୍ତେବାସୀ । ବରଗଡ଼ ଜେଲ୍‌ରେ ଫଳିଛି ଭଳିକିଭଳି ପନିପରିବା , କଏଦୀଙ୍କ ପରିଶ୍ରମରେ ହସୁଛି କ୍ଷେତ । କୋବି, ଟମାଟୋ, ଶାଗ, ଲଙ୍କା ଆଦି ଫଳାଇଛନ୍ତି ବରଗଡ଼ ଜିଲ୍ଲା କାରାଗାରରେ ସଜା କାଟୁଥିବା କଏଦୀ । ଏଠି ମାଟି ହାଣି ଚାଷ କରୁଥିବା ଏହି ବ୍ୟକ୍ତିମାନଙ୍କ କାହାଣୀ ବେଶ୍‌ ଯନ୍ତ୍ରଣାଦାୟୀ । 

Advertisment

କିଏ ୧୦ ବର୍ଷ ହେବ ଜେଲରେ ତ ଆଉ କିଏ ତାଠୁ ଅଧିକ ସମୟ କାଟିଲେଣି ଏଇ ଚାରି କାନ୍ଥଭିତରେ । କିନ୍ତୁ ନିଜର କୌଳିକ ବୃତ୍ତିକୁ ଭୁଲିନାହାନ୍ତି । ଭଳିକି ଭଳି ପନିପରିବା ଚାଷ କରୁଛନ୍ତି, ପୁଣି ଜୈବିକ ପଦ୍ଧତିରେ । ନିଜକୁ ସୁଧାରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚେଷ୍ଟା ଚଳାଇଛନ୍ତି । ସକାଳୁ ଉଠି ପ୍ରତିଦିନ ଚାଷ କାମରେ ଲାଗିପଡ଼ନ୍ତି କଏଦୀ ମାନେ । ନିଜ ହାତରେ ହୁଡ଼ା କରି ପାଣି ମଡ଼ାନ୍ତି । ମଞ୍ଜି ପୋତନ୍ତି, ଚାରା ରୁଅନ୍ତି। ଆଉ ଘାସ ବି ବାଛନ୍ତି । ଏମାନଙ୍କୁ ଏଭଳି ସୁଯୋଗ ଦେଇ ପ୍ରତିମୁହୂର୍ତ୍ତରେ ପ୍ରୋତ୍ସାହନ କରୁଥିବା ମଣିଷ ଜଣକ ହେଉଛନ୍ତି ବରଗଡ଼ ଜେଲର ଜେଲର୍ ସଲମାନ୍ କୁଜୁର । ପୂର୍ବରୁ ଅପରାଧୀର ଦୁର୍ନାମ ମୁଣ୍ଡାଇଥିବା ଏହି କଏଦୀ ପାଲଟିଛନ୍ତି ଚଷା ପୁଅ ଆଉ ମୁଖ୍ୟସ୍ରୋତକୁ ଫେରିବାକୁ ଅଛନ୍ତି ବେଶ୍‌ ଆଗ୍ରହୀ ।  

ଅଧିକ ପଢ଼ନ୍ତୁ---Jajpur Politics : ମନ୍ତ୍ରୀ ପଦ ପାଇ ବି ସୁକିନ୍ଦା ଦୁର୍ବଳ ?