କନକ ବ୍ୟୁରୋ: ଓଟିଟିରେ ସବୁଠାରୁ ଲୋକପ୍ରିୟ ୱେବ୍ ସିରିଜ୍ 'ପଞ୍ଚାୟତ' । ବର୍ତ୍ତମାନ ସୁଦ୍ଧା ଏହି ୱେବ୍ ସିରିଜ୍ର ୩ଟି ସିଜିନ୍ ବା ତିନୋଟି ପାର୍ଟ ରିଲିଜ୍ ହୋଇ ସାରିଛି । ପ୍ରତିଟି ପାର୍ଟକୁ ଦର୍ଶକଙ୍କ ଭରପୂର ଭଲ ପାଇବା ମିଳିଥିଲା । କାରଣ ଏଥିରେ ଜଣେ ସାଧାରଣ ସରକାରୀ କର୍ମଚାରୀଙ୍କ ଜୀବନରେ ଓ ଗାଁ ଭିତରେ ହେଉଥିବା ନିତି ଦିନିଆ ଘଟଣାକୁ ଦର୍ଶାଯାଇଥିଲା । ଏବେ ଏହି ସିରିଜ୍ରେ ଚତୁର୍ଥ ଭାଗକୁ ଉତ୍କଣ୍ଠାର ସହ ଅପେକ୍ଷା କରି ବସିଛନ୍ତି ଦର୍ଶକ । ଏବେ ଏହି ଅପେକ୍ଷାର ଅନ୍ତ ଘଟିପାରେ । କାରଣ ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି ପଞ୍ଚାୟତ ସିଜିନ୍ ୪ ।
ସୂତ୍ର ମୁତାବକ ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ଏହି ୱେବ୍ ସିରିଜ୍ ରିଲିଜ୍ ହୋଇପାରେ । ତେବେ ଏହାକୁ ନେଇ ପ୍ରଡକ୍ସନ୍ ଟିମ୍ ପକ୍ଷରୁ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ । ସବୁଥର ଭଳି ଏଥର ମଧ୍ୟ ପ୍ରାଇମ୍ ଭିଡିଓ ପ୍ଲାଟ୍ଫର୍ମରେ ଏହି ୱେବ୍ ସିରିଜ୍ର ଚତୁର୍ଥ ସିଜିନ୍ ରିଲିଜ୍ ହେବ । ୨୦୨୦ ଏପ୍ରିଲ ମାସରେ ପଞ୍ଚାୟତ ସିରିଜ୍ର ପ୍ରଥମ ସିଜିନ୍ ରିଲିଜ୍ ହୋଇଥିଲା । ସେହି ସମୟରେ ଏହା ଓଟିଟିରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ଏହାପରେ ୨୦୨୨ରେ ଏହି ୱେବ୍ସିରିଜ୍ର ଦ୍ୱିତୀୟ ସିଜିନ୍ ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲା । ପୁଣି ୨୦୨୩ରେ ତୃତୀୟ ପାର୍ଟ ରିଲିଜ୍ ହୋଇଥିଲା ।
ଏବେ ଚତୁର୍ଥ ପାର୍ଟ ରିଲିଜ୍ ହେବା ଅପେକ୍ଷାରେ ରହିଛନ୍ତି ଫ୍ୟାନ୍ସ । କାରଣ ୱେବ୍ ସିରିଜ୍ରେ ସମସ୍ତ ଚରିତ୍ରକୁ ଖୁବ ଭଲ ପାଇବା ଦେଇଛନ୍ତି ଫ୍ୟାନ୍ସ । ସଚିବ୍ଜି, ପ୍ରଧାନଜି, ମଞ୍ଜୁଦେବୀ, ପ୍ରହ୍ଲାଦ ଚାଚା, ବିକାଶ ଶୁକ୍ଲା ଆଦି ଚରିତ୍ର ଦର୍ଶକଙ୍କ ମନ ଛୁଇଁଥିଲା । ଖାଲି ସେତିକି ନୁହେଁ ନକରାତ୍ମକ ଚରିତ୍ରରେ ଅଭିନୟ କରିଥିବା ବିଧାୟକଜି ଓ ଭୂଷଣଜି ଚରିତ୍ରକୁ ମଧ୍ୟ ଖୁବ ପସନ୍ଦ କରିଥିଲେ ଦର୍ଶକ । ଚତୁର୍ଥ ସିଜିନ୍ରେ କଣ ନୂଆ ଦେଖିବାକୁ ମିଳିବ ତାହାରି ଅପେକ୍ଷାରେ ରହିଛନ୍ତି ଫ୍ୟାନ୍ସ । କାରଣ ଗତ ୨୦୨୪ରେ ହିଁ ପଞ୍ଚାୟତ ସିଜିନ୍-୪ ସୁଟିଂ ଆରମ୍ଭ ହୋଇଯାଇଥିଲା । ଏହାକୁ ନେଇ ମେକର୍ସମାନେ ସୂଚନା ଦେଇଥିଲେ । ନିକଟରେ ସଚିବ୍ଜି ଭୂମିକାରେ ଅଭିନୟ କରୁଥିବା ଜିତେନ୍ଦ୍ର କୁମାର ଆଇଫା ଆୱାର୍ଡ ସମାରୋହରେ ପଞ୍ଚାୟତ ସିଜିନ୍-୪କୁ ନେଇ ବଡ଼ ସୂଚନା ଦେଇଥିଲେ । କହିଥିଲେ ପଞ୍ଚାୟତ ସୋ ନେଇ କାମ ଚାଲିଛି । ଖୁବଶୀଘ୍ର ଏହା ରିଲିଜ୍ ହେବ ।