କନକ ବ୍ୟୁରୋ : ବାତିଲ୍ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ । ପାଗ ଖରାପ ଯୋଗୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ ବାତିଲ୍ ହୋଇପାରେ । ଆସନ୍ତା ୨୭ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପଛକୁ ପଛ ଲଘୁଚାପ ଥିବାରୁ କାର୍ଯ୍ୟକ୍ରମ ବାତିଲ ନେଇ ସୂଚନା ମିଳୁଛି । ୨୭ରେ ବ୍ରହ୍ମପୁର ଆସିଥାନ୍ତେ ପ୍ରଧାନମନ୍ତ୍ରୀ । ଏନେଇ ଗତକାଲି ପୁଲିସ ଡିଜି ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏପଟେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମଧ୍ୟ ସମୀକ୍ଷା କରିଥିଲେ । ରଙ୍ଗେଇଲୁଣ୍ଡାରେ ଯେଉଁ ଟେଣ୍ଟ୍ ବନ୍ଧା ଯାଇଥିଲା, ତାକୁ ଖୋଲି ଦିଆଯାଉଛି । ଟେଣ୍ଟ୍ ଖୋଲିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଆସିଛି । କିନ୍ତୁ କୌଣସି ଅଫିସିଆଲ ନିର୍ଦ୍ଦେଶ ଆସିନଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ସେପଟେ ନିଶାମୁକ୍ତ ଭାରତ ଗଠନର ସଂକଳ୍ପ ନେଇ ‘ନମୋ ଯୁବ ମାରାଥନ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଇଁ ରାଜ୍ୟ ବିଜେପି ପକ୍ଷରୁ ସପ୍ତାହେ ବ୍ୟାପି କାର୍ଯ୍ୟକ୍ରମ କରାଯାଉଛି । ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆୟୋଜିତ ହୋଇଛି ମାରାଥନ୍ । କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହୋଇ ଏହି ମାରାଥନ୍ ଜନତା ମଇଦାନ ପର୍ଯ୍ୟନ୍ତ ଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରୀ ସାମିଲ ହୋଇଛନ୍ତି । ଏହା ସହ ଅନ୍ୟ ବିଶିଷ୍ଟ ଅତିଥି ମଧ୍ୟ ଯୋଗ ଦେଇଛନ୍ତି । ଗଣଦୌଡ଼ ମାଧ୍ୟମରେ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରହି ନୂଆ ଭାରତ ଗଠନ କରିବାରେ ସଚେତନ କରାଯିବ । ଭିଡିଓ ବାର୍ତ୍ତା ମାଧ୍ୟମରେ ଏହି ସଭାକୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।