କନକ ବ୍ୟୁରୋ: ଭୁବନେଶ୍ୱରର ଜନତା ମୈଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ନିଜ ଉଦବୋଧନ ରଖିଛନ୍ତି ଆଉ କହିଛନ୍ତି, ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ୱାଗତ । କିଛି ଦିନ ପରେ କୁମ୍ଭମେଳା ହେବାକୁ ଯାଉଛି । ଦେଶରେ ସବୁଠି ଏବେ ଉତ୍ସବର ମାହୋଲ ରହିଛି ।
ମୋଦୀ ଆହୁରି କହିଛନ୍ତି, ଓଡିଶା କଳା ଓ ସଂସ୍କୃତିରେ ଭରପୂର । ଓଡିଶାରେ ପାଦେ ପାଦେ ଆମ ଐତିହ୍ୟର ଦର୍ଶନ ହୋଇଥାଏ । ଉଦୟଗିରି ଖଣ୍ଡଗିରିର ଗୁମ୍ଫା ହେଉ, କି କୋଣାର୍କର ସୂର୍ଯ୍ୟମନ୍ଦିର ହେଉ ଏହା ଦେଖି ସମସ୍ତେ ଗର୍ବରେ ଫୁଲି ଉଠନ୍ତି । ଓଡିଶାରେ ଆମ ବଣିକ ଲମ୍ୱା ସମୁଦ୍ର ଯାତ୍ରା କରି ବାର୍ଲି, ସୁମାତ୍ରା ଏମିତି ସ୍ଥାନକୁ ଯାଉଥିଲେ । ସେହି ସ୍ମୃତିରେ ଆଜି ବି ଓଡିଶାରେ ବାଲିଯାତ୍ରା ଆୟୋଜନ ହେଉଛି । ଏହି ଓଡିଶାରେ ଧଉଳି ଅଛି, ଯାହା ଶାନ୍ତିର ପ୍ରତୀକ । ଯେତେବେଳେ ଖଣ୍ଡାର ଧାରରେ ସାମ୍ରାଜ୍ୟ ବଢାଯାଉଥିଲା । ସେତେବେଳେ ଆମ ସମ୍ରାଟ ଅଶୋକ ଏଠାରେ ଶାନ୍ତିର ରାସ୍ତା ବାଛିଥିଲେ । ସେଥିପାଇଁ ଓଡିଶାର ଏହି ମାଟିରେ ଆପଣଙ୍କୁ ସ୍ୱାଗତ କରିବା ମୋ ପାଇଁ ବହୁତ କିଛି ।
ମୋତେ ବହୁତ ଖୁସି ଲାଗେ ଯେତେବେଳେ ବାହାର ସ୍ଥାନରେ ଆପଣଙ୍କୁ ଦେଖି । ଆପଣଙ୍କ ସ୍ନେହ, ଆଶୀର୍ବାଦ ମୋ ସାଙ୍ଗରେ ରହିଥାଏ । ଆଜି ମୁଁ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଧନ୍ୟବାଦ କହିବାକୁ ଚାହୁଁଛି । ଏହା ଏଥିପାଇଁ କହୁଛି କାରଣ ଆପଣଙ୍କମାନଙ୍କ ପାଇଁ ବିଦେଶରେ ଆମ ମୁଣ୍ଡ ଉଚ୍ଚା ହୋଇ ରହୁଛି । ଭାରତୀୟ ଯେଉଁଠାକୁ ବି ଯିବେ ସେଠାରକାର ନିୟମ ଓ ପରମ୍ପରାକୁ ସମ୍ମାନ କରନ୍ତି । ସେଠାକାର ବିକାଶରେ ଯୋଗଦାନ କରନ୍ତି । ଏହାପରେ ବି ଆମ ହୃଦୟରେ ଭାରତ ରହିଥାଏ । ଭାରତର ସବୁ ଉପଲବ୍ଧି ସହ ଉତ୍ସବ ମନାଉଥାଉ । ଆଜି ଭାରତ ଯେଉଁ ଗତିରେ ଯାଉଛି, ଯେଉଁ ଗତିରେ ବିକାଶ ହେଉଛି ତାହା ଅଦ୍ଭୁତ ପୂର୍ବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ମୋଦୀ ଆହୁରି କହିଛନ୍ତି, କେବଳ ୧୦ ବର୍ଷରେ ଭାରତ ବିଶ୍ୱର ଦଶମ ବୃହତ୍ତ ଅର୍ଥନୀତିରୁ ଉପରକୁ ଉଠି ପଞ୍ଚମ ବୃହତ୍ତ ଅର୍ଥନୀତି ହୋଇପାରିଛନ୍ତି । ସେ ଦିନ ଦୂର ନୁହେଁ ଯେବେ ଭାରତ ଦୁନିଆର ତୃତୀୟ ବୃହତ୍ତ ଅର୍ଥନୀତି ହେବ । ଆଜି ଯେତେବେଳେ ଭାରତର ଚନ୍ଦ୍ରାୟନ ଶିବଶକ୍ତି ପଏଣ୍ଟରେ ପହଞ୍ଚୁଛି ସେତେବେଳେ ଆମେ ଗର୍ବ ଅନୁଭବ କରୁ । ଦୁନିଆ ଯେତେବେଳେ ଡିଜିଟାଲ ଇଣ୍ଡିଆର ଶକ୍ତି ଦେଖି ଚମକି ଯାଉଛି ସେତେବେଳେ ଆମେ ଗର୍ବିତ ହେଉଛି । ଆଜି ଭାରତର ପ୍ରଗତିର ଗତି ସବୁ ରେକର୍ଡ ଭାଙ୍ଗୁଛି । ଆଜି ଭାରତ ମେଡଇନ ଇଣ୍ଡିଆ ଫାଇଟର ଜେଟ ତିଆରି କରୁଛି । ସେ ଦିନ ବି ଦୂର ନୁହେଁ ଯେବେ ଆପଣମାନେ ମେଡ ଇନ ଇଣ୍ଡିଆ ପ୍ଲେନରେ ବସି ପ୍ରବାସୀ ଭାରତୀୟ ଦିବସକୁ ଆସିବେ । ଭାରତ ସରକାରଙ୍କ ପ୍ରୟାସ କୌଣସି ଭାରତୀୟ ଯଦି ବିଦେଶ ଯାଉଛନ୍ତି ଉତ୍ତମ ଦକ୍ଷତାର ସହ ଯାଆନ୍ତୁ ।