କନକ ବ୍ୟୁରୋ : ୮ ଦିନରେ ୫ ଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ ,ଆଉ କୁହାଯାଉଛି ଦକ୍ଷିଣ ଦେଶମାନଙ୍କୁ ମୋଦୀଙ୍କ ଗସ୍ତ ଗୁରୁତ୍ବପୂର୍ଣ୍ଣ ରଖୁଛି । କାଲିଠାରୁ ମୋଦୀଙ୍କ ବିଦେଶ ଗସ୍ତ ଆରମ୍ଭ ହେଉଛି , କୂଟନୈତିକ ସ୍ତରରେ ମୋଦୀଙ୍କ ଗସ୍ତ ଭାରତ ପାଇଁ ଲାଭଦାୟକ ହୋଇପାରେ । ଘାନାକୁ ପ୍ରଥମେ ଯିବେ ମୋଦୀ ପରେ ଅନ୍ୟ ଦେଶକୁ ଯାଇ ବ୍ରିକ୍ସ ସମ୍ମିଳନୀର ଯୋଗଦେବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜୁଲାଇ ୨ ତାରିଖରୁ ୮ ଦିନିଆ ପାଞ୍ଚଟି ଦେଶ ଗସ୍ତରେ ଯାତ୍ରା କରିବେ । ଯାହା ମୋଦୀଙ୍କ ଗତ ୧୦ ବର୍ଷର ସବୁଠାରୁ ଦୀର୍ଘ କୂଟନୈତିକ ଯାତ୍ରା ହେବ । ଏହି ଯାତ୍ରାରେ ମୋଦୀ ଘାନା, ତ୍ରିନିଦାଦ ଓ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମିବିଆକୁ ଯିବେ । ଏହା ତାଙ୍କର ଦ୍ୱିତୀୟ ପଞ୍ଚ ରାଷ୍ଟ୍ରୀୟ ଗସ୍ତ, ପୂର୍ବରୁ ୨୦୧୬ରେ ପ୍ରଧାନମନ୍ତ୍ରୀ ଆମେରିକା, ମେକ୍ସିକୋ, ସ୍ୱିଜରଲ୍ୟାଣ୍ଡ, ଆଫଗାନିସ୍ତାନ ଓ କତାର ଗସ୍ତ କରିଥିଲେ । ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବ୍ରାଜିଲରେ ଅନୁଷ୍ଠିତ ହେବାକୁ ଥିବା ୧୭ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦାନ କରିବା ଏବଂ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ ଦେଶମାନଙ୍କ ସହ ଭାରତର ସମ୍ପର୍କକୁ ଆହୁରି ଦୃଢ଼ କରିବା ।
ଜୁଲାଇ ୨ରୁ ୩ ମୋଦୀ ପ୍ରଥମେ ଘାନା ଗସ୍ତ କରିବେ, ଯେଉଁଠାରେ ଘାନା ସଂସଦରେ ଭାଷଣ ଦେବେ ପ୍ରଧାନମନ୍ତ୍ରୀ ଏବଂ ପ୍ରାୟ ୧୫,୦୦୦ ପ୍ରବାସୀ ଭାରତୀୟ ମୋଦୀଙ୍କୁ ଅଭିନନ୍ଦନ ଜଣାଇବେ । ଏହା ହେଉଛି ୧୯୯୫ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଘାନା ଗସ୍ତ । ଏହା ସହ ଭାରତ ଘାନାରେ ଟୀକା ହବ ପ୍ରତିଷ୍ଠା କରିବା ପାଇଁ ଆଲୋଚନା କରାଯିବ । ତ୍ରିନିଦାଦ ଓ ଟୋବାଗୋ - ଜୁଲାଇ ୩-୪ ଏହା ମୋଦୀଙ୍କର ପ୍ରଥମ ଗସ୍ତ ଏବଂ ୧୯୯୯ ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ । ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି କ୍ରିଷ୍ଟିନ୍ କାର୍ଲା କାଙ୍ଗାଲୁ ଏବଂ ପ୍ରଧାନମନ୍ତ୍ରୀ କମଲା ପର୍ସାଦ-ବିସେସାରଙ୍କ ସହ ଆଲୋଚନା କରିବେ ଏବଂ ସଂସଦରେ ଭାଷଣ ଦେବେ । ଦେଶରେ ୪୦ପ୍ରତିଶତ ଭାରତୀୟ ବସବାସ କରନ୍ତି ।
ଆର୍ଜେଣ୍ଟିନା ଜୁଲାଇ ୪-୫ ମୋଦୀ ରାଷ୍ଟ୍ରପତି ଜାଭିଏର ମିଲେଇଙ୍କ ସହ ବୈଠକ କରିବେ । ଏହି ଗସ୍ତରେ ବାଣିଜ୍ୟ, ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଆଲୋଚନା ହେବ । ବ୍ରାଜିଲ ଜୁଲାଇ ୫-୮ ମୋଦୀ ରିଓ ଡି ଜାନେଇରୋରେ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବେ । ଜୁଲାଇ ୬-୭ ମଧ୍ୟରେ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ମୋଦୀ । ବ୍ରିକ୍ସ ଶିଖର ସମ୍ମିଳନୀରେ ପହଲଗାମ ଆକ୍ରମଣର ନିନ୍ଦା ଏବଂ ଆତଙ୍କବାଦ ବିରୋଧରେ ଭାରତର ପଦକ୍ଷେପ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।
ଜୁଲାଇ ୮-୯ ମୋଦୀଙ୍କର ପ୍ରଥମ ନାମିବିଆ ଗସ୍ତ , ଯେଉଁଠାରେ ମୋଦୀ ସଂସଦରେ ଭାଷଣ ଦେବେ । ଭାରତ ଓ ନାମିବିଆ ମଧ୍ୟରେ ବାଣିଜ୍ୟ ୬୦୦ ମିଲିୟନ ଡଲାରକୁ ବୃଦ୍ଧି ପାଇଛି । ଏହି ଗସ୍ତର ପ୍ରମୁଖ କେନ୍ଦ୍ରବିନ୍ଦୁ କ୍ଷେତ୍ରଗୁଡ଼ିକ ମଧ୍ୟରୁ ନାମିବିଆରେ ଭାରତର ପେମେଣ୍ଟ ଇଣ୍ଟରଫେସ୍ ବା ୟୁପିଆଇକୁ କାର୍ଯ୍ୟକାରୀ କରିବା ପାଇଁ ଚୁକ୍ତିନାମା ସ୍ବାକ୍ଷରିତ ହେବ । ମୋଦୀଙ୍କ ମାରାଥନ ବିଦେଶ ଗସ୍ତରେ ପ୍ରତିରକ୍ଷା, ଶକ୍ତି, ବାଣିଜ୍ୟ, ଡିଜିଟାଲ ଭିତ୍ତିଭୂମି ଏବଂ ଆତଙ୍କବାଦ ବିରୋଧରେ ସହଯୋଗ ଉପରେ ଗୁରୁତ୍ୱ ଦିଆଯିବ। ବିଶେଷକରି ବ୍ରିକ୍ସ ସମ୍ମିଳନୀରେ ଭାରତ ପାକିସ୍ତାନର ଅସଲ ମୁଖା ଖୋଲିବ । ପାକ୍ ସରକାର,ସୈନ୍ୟ କେମିତି ଆତଙ୍କବାଦୀଙ୍କୁ ସମର୍ଥନ ଜଣାଉଛନ୍ତି ଭାରତ ସେ କଥା ମଧ୍ୟ ଉଠାଇପାରେ ।