କନକ ବ୍ୟୁରୋ : ସ୍ଥାନୀୟ ଉତ୍ପାଦ ଓ ପାରମ୍ପରିକ ବୟନ ଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ଦେଶ ତଥା ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ରବିବାର ୧୨୪ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ସଫଳ ମହିଳାଙ୍କ କାହାଣୀ କହିଛନ୍ତି । ଦେଶର ହସ୍ତତନ୍ତ ଶିଳ୍ପ ବିଷୟରେ ସୂଚନା ଦେଇ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ମହିଳାଙ୍କ ଉଦାହରଣ ଦେଶବାସୀଙ୍କ ଆଗରେ ରଖିଛନ୍ତି । କହିଛନ୍ତି ୬୫୦ ଆଦିବାସୀ ମହିଳା ସାନ୍ତାଳୀ ଶାଢ଼ିକୁ ପୁନରୁଦ୍ଧାର କରୁଛନ୍ତି । ମାସକୁ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । ଏପଟେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ବୁଣାକାରଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି ।
ବୁଣାକାର ଶ୍ରମିକଙ୍କ ଭତ୍ତା ବଢ଼ାଇଲେ ମୁଖ୍ୟମନ୍ତ୍ରୀ
ଅଧିକାରୀଙ୍କୁ ବୁଣାକାରଙ୍କ ବସ୍ତ୍ର ପିନ୍ଧିବାକୁ କହିଲେ
ଓଡ଼ିଶାରେ ବୟନ ଶିଳ୍ପକୁ ନେଇ ଅନେକ ସମ୍ଭାବନା ରହିଛି । ଓଡ଼ିଶା ଟେକ୍ସ ସମ୍ମିଳନୀ-୨୦୨୫ରେ ଏଭଳି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗକୁ ଓଡ଼ିଶା ଟେକ୍ସଟାଇଲ ହବ୍ ହେବ । ଦାଦନ ଖଟିବାକୁ ଯିବେନି ଓଡ଼ିଆ, ବୟନ ଶିଳ୍ପରେ ୫୩ ହଜାର ନୂଆ ନିଯୁକ୍ତି ସୃଷ୍ଟି ହେବ । ଏହି ଅବସରରେ ବୁଣାକାର ଶ୍ରମିକଙ୍କ ଭତ୍ତା ୧୦୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି । ଏଥିସହ ସରକାରୀ ଅଧିକାରୀଙ୍କୁ ସପ୍ତାହକୁ ଥରେ ବୁଣାକାରଙ୍କ ବସ୍ତ୍ର ପିନ୍ଧିବାକୁ ଅପିଲ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବୁଣାକାରଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି । ଓଡ଼ିଶାରେ ପ୍ରସ୍ତୁତ ପୋଷାକ ଓଡ଼ିଆ ପିନ୍ଧିଲେ ଆମ ଓଡ଼ିଶାର ଲୋକ ଉପକୃତ ହେବେ ।