କନକ ବ୍ୟୁରୋ: ରାଜ୍ୟରେ ବଢୁଛି ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆଗ୍ରହ । ବର୍ତ୍ତମାନ ସୁଦ୍ଧା ଏଥିପାଇଁ ୯୩ ହଜାର ୩୬୭ ଜଣ ଲୋକ ପଞ୍ଜୀକରଣ କରିସାରିଛନ୍ତି । ସେମାନଙ୍କ ଭିତରୁ ୨୭୪୦ ଜଣ ହିତାଧିକାରୀ ଏହାର ସୁବିଧା ପାଇଥିବାବେଳେ, ରାଜ୍ୟ ସରକାର ଏଥିପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ବିଧାନସଭାରେ ଆଜି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର; ମାଗଣା ବିଜୁଳି ଯୋଜନା ନେଇ କିଛି ଏଭଳି ତଥ୍ୟ ରଖିଛନ୍ତି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
ବିଜେଡି ବିଧାୟକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାନସଭାରେ ଏନେଇ ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ଯେ, ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର; ମାଗଣା ବିଜୁଳି ଯୋଜନା’ରେ କେତେ ଜଣ ହିତାଧିକାରୀ ଏପର୍ଯ୍ୟନ୍ତ ସୁବିଧା ପାଇଛନ୍ତି ଓ କେତେଜଣ ଏଥିପାଇଁ ପଞ୍ଜୀକରଣ କରିଛନ୍ତି ? ଯାହାର ଉତ୍ତର ରଖିଥିଲେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ।
ଉପ-ମୁଖ୍ୟମନ୍ତ୍ରୀଙ୍କ କହିବା ମୁତାବକ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର; ମାଗଣା ବିଜୁଳି ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ବିଭିନ୍ନ ସଚେତନତା କାର୍ୟ୍ୟକ୍ରମ କରାଯାଉଛି । ଏହାସହ ସବସିଡି ପାଇବା ପାଇଁ ପ୍ରକ୍ରିୟାକୁ ଶତ ପ୍ରତିଶତ ଅନଲାଇନ କରାଯାଇଛି ।