କନକ ବ୍ୟୁରୋ: ପାକିସ୍ତାନର ୟୁ-ଟର୍ଣ୍ଣ । ପ୍ରଧାନମନ୍ତ୍ରୀ ସରିଫ୍‌ଙ୍କ ବଡ଼ ବୟାନ । ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ଆକ୍ରମଣ ପରେ ଜାତୀୟ ସୁରକ୍ଷା କମିଟିର ଏକ ଜରୁରୀ ବୈଠକ ଡାକିଥିଲେ । ଏକ୍ସରେ ପ୍ରକାଶିତ ପୋଷ୍ଟ ଅନୁଯାୟୀ, ପାକିସ୍ତାନ ଭାରତର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ନିଜର ସାର୍ବଭୌମତ୍ଵ ଓ ଆଞ୍ଚଳିକ ଶାନ୍ତି ରକ୍ଷା ପାଇଁ କୂଟନୈତିକ, ଅର୍ଥନୈତିକ ଓ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାକୁ ଘୋଷଣା କରିଛି । ସରିଫ୍‌ କହିଛନ୍ତି, ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ନିରପେକ୍ଷ ତଦନ୍ତ ପାଇଁ ପ୍ରସ୍ତୁତ ଅଛୁ ।

Advertisment

ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍‌ କହିଛନ୍ତି, କାଶ୍ମୀରର ପହଲଗାମରେ ୨୬ ଜଣଙ୍କ ହତ୍ୟା ଘଟଣାର ଏକ ଅନ୍ତର୍ଜାତୀୟ ତଦନ୍ତ ଆବଶ୍ୟକ ବୋଲି ପାକିସ୍ତାନ ବିଶ୍ୱାସ କରେ ଏବଂ ଅନ୍ତର୍ଜାତୀୟ ତଦନ୍ତକାରୀଙ୍କ ସହ କାମ କରିବାକୁ ପାକିସ୍ତାନ ଇଚ୍ଛୁକ ।  ଆସିଫ୍‌ ଏକ ସାକ୍ଷାତକାରରେ କହିଛନ୍ତି, ପାକିସ୍ତାନ ଅନ୍ତର୍ଜାତୀୟ ନିରୀକ୍ଷକଙ୍କ ଦ୍ୱାରା ପରିଚାଳିତ ଯେକୌଣସି ତଦନ୍ତ ସହିତ ସହଯୋଗ କରିବାକୁ ପ୍ରସ୍ତୁତ । ଶେହବାଜ ସରିଫ୍‌ଙ୍କ ନେତୃତ୍ଵରେ ପାକିସ୍ତାନ ଏହି ଘଟଣାକୁ ଏକ ମିଥ୍ୟା ଅଭିଯୋଗ ବୋଲି ଦାବି କରିଛି । ସରିଫ୍‌ କହିଛନ୍ତି, ପାକିସ୍ତାନ ଆଞ୍ଚଳିକ ସ୍ଥିରତା ପାଇଁ କାର୍ଯ୍ୟ କରୁଛି ଏବଂ ଭାରତର ଅଭିଯୋଗ ଅମୂଳକ । ପାକିସ୍ତାନର ସେନା ମୁଖ୍ୟ ଅସିମ ମୁନିରଙ୍କ ନେତୃତ୍ଵରେ ଦେଶ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ବୋଲି ଏକ୍ସ ପୋଷ୍ଟରେ ଉଲ୍ଲେଖ ରହିଛି । ଏହି ଘଟଣା ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି । ପହଲଗାମ ଆକ୍ରମଣ ପାଇଁ ଭାରତ ପାକିସ୍ତାନକୁ ଦାୟୀ କରିଛି, ଯାହାକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିଛି । ଏକ୍ସରେ ଚାଲିଥିବା ଆଲୋଚନାରେ କେତେକ ପାକିସ୍ତାନୀ ଏକ୍ପପର୍ଟ ଆକ୍ରମଣ ଭାରତର ରାଜନୈତିକ ଚାଲ୍‌ ବୋଲି ଅଭିହିତ କରିଛନ୍ତି ।