କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ବସିଲା ଉଚ୍ଚସ୍ତରୀୟ ବୈଠକ । ଅସ୍ତ୍ରବିରତି ପରେ ତିନି ସେନାମୁଖ୍ୟଙ୍କ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ । ଏହି ବୈଠକରେ ସିଡିଏସ୍ ଅନୀଲ ଚୌହ୍ୱାନ ବି ଉପସ୍ଥିତ ରହିଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବି ଏହି ବୈଠକରେ ଯୋଗ ଦେଇଛନ୍ତି । ଗତକାଲି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ପରେ ସୀମାରେ ଏବେ ଶାନ୍ତି ।
ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହୋଇଛି । ଯୁଦ୍ଧରେ ବିରାମ ପାଇଁ ଆଗୁଆ ପଦକ୍ଷେପ ନେଇଥିଲା ପାକିସ୍ତାନ । ଅପରାହଣ୍ ୩ଟା ୪୫ରେ କଥାବାର୍ତ୍ତା ଆରମ୍ଭ କରିଥିଲେ ପାକିସ୍ତାନୀ ଡିଜିଏମଓ । ଏହାପରେ କାଲି ସନ୍ଧ୍ୟା ୫ଟାରେ ଅସ୍ତ୍ରବିରତି ହୋଇଥିଲା । ହେଲେ ଏହାର ଠିକ ୩ ଘଣ୍ଟା ପରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା ପାକିସ୍ତାନ । ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ଚୁକ୍ତି ଭିତରେ ବି ଜାରି ରହିବ କଟକଣା ।
ସିନ୍ଧୁ ଜଳ ବୁଝାମଣା ନିଲମ୍ବିତ ରହିବ । ବ୍ୟବସାୟିକ ସମ୍ପର୍କ ବି ବନ୍ଦ ରହିବ । ରାଜନୈତିକ ସ୍ତରରେ ଯଥାସ୍ଥିତି ଜାରି ରହିବ । ଦୂତାବାସ ରାଜନୀତିଜ୍ଞଙ୍କୁ ଫେରାଇ ଅଣାଯିବ ନାହିଁ । ପାକିସ୍ତାନ ଉପରେ ଆର୍ଥିକ କ୍ଷେତ୍ରରେ ଲଗାଯାଇଥିବା ପ୍ରତିବନ୍ଧକ ଜାରି ରହିବ । କୌଣସି ବି ମାଲବାହୀ ଜାହାଜ ବନ୍ଦର ଦେଇ ଯାଇପାରିବ ନାହିଁ ।
ଗତ ଏପ୍ରିଲ ୨୨ରେ ପହଲଗାମ୍ରେ ହୋଇଥିଲା ଆତଙ୍କୀ ହମଲା । ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ । ଧର୍ମ ପଚାରି ପଚାରି ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିଲା । ଟିଆରଏଫର ୪ଜଣ ଆତଙ୍କୀ ମିଶି ଖେଳିଥିଲେ ରକ୍ତର ହୋଲି । ହାସିମ୍ ମୁସା ଓ ୩ଜଣ ସହଯୋଗୀ ମିଶି କରିଥିଲେ ଏହି ହମଲା । ଆତଙ୍କୀ ସଂଗଠନ ଲସ୍କର-ଇ-ତୋଏବାର ଶାଖା ହେଉଛି ଟିଆରଏଫ୍ । ପହଲଗାମର ଏହି ଘଟଣା ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା । ଆତଙ୍କବାଦ ବିରୋଧରେ ସାରା ଦେଶରୁ ଉଠିଥିଲା ପ୍ରତିବାଦର ସ୍ୱର ।
ମେ ୭ତାରିଖରେ ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ କରିଥିଲା ଭାରତୀୟ ସେନା । ଅପରେସନ ସିନ୍ଦୂର ଜରିଆରେ ପହଲଗାମ ପ୍ରତିଶୋଧ ନେଲା ଭାରତ । ଶତ୍ରୁ ଘରେ ପଶି ଆତଙ୍କୀ ଆଡ୍ଡା ଧ୍ୱଂସ କରାଯାଇଥିଲା । ୯ଟି ଆତଙ୍କୀ ଠିକଣାରେ ଏୟାରଷ୍ଟ୍ରାଇକ କରିଥିଲା ଭାରତୀୟ ବାୟୁସେନା । ଆକ୍ରମଣରେ ଧୂଳିସାତ ହୋଇଥିଲା ପାକିସ୍ତାନରେ ଥିବା ଆତଙ୍କୀ ହବ୍ । ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୋଇବା, ହିଜ୍ବୁଲ ମୁଜାହିଦ୍ଦିନ ଆଡ୍ଡା ଧ୍ୱଂସ ହୋଇଥିଲା । ଏୟାରଷ୍ଟ୍ରାଇକରେ ସଫା ହୋଇଯାଇଥିଲା ଜୈଶ-ଏ-ମହମ୍ମଦ ମୁଖ୍ୟର ପୂରା ପରିବାର । ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ମସୁଦ ଅଜହରର ୧୦ଜଣ ସମ୍ପର୍କୀୟ ନିହତ ହୋଇଥିଲେ । କାନ୍ଦାହାର ବିମାନ ଅପହରଣର ମାଷ୍ଟରମାଇଣ୍ଡ ଅବଦୁଲ ରୌଫ୍ ଅଜହର ପ୍ରାଣ ହରାଇଥିଲା । ପାଖାପାଖି ୧୦୦ରୁ ଅଧିକ ଆତଙ୍କୀଙ୍କୁ ମାରିଥିଲେ ଭାରତୀୟ ଯବାନ ।