କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନୂଆ ରାଜନୈତିକ ମାଇଲଖୁଣ୍ଟ ସ୍ଥାପନ କରି ଭାରତର ଦ୍ୱିତୀୟ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ଭାବେ ଇନ୍ଦିରା ଗାନ୍ଧୀଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି । ଏକ ନିରବଚ୍ଛିନ୍ନ କାର୍ଯ୍ୟକାଳରେ ସେ ଏହି ସଫଳତା ହାସଲ କରିଛନ୍ତି । ଜୁଲାଇ ୨୫, ୨୦୨୫ ସୁଦ୍ଧା ମୋଦୀ ତାଙ୍କ କାର୍ଯ୍ୟକାଳର ୪୦୭୮ ଦିନ ପୂରଣ କରିଛନ୍ତି ।
ପୂର୍ବରୁ, ଇନ୍ଦିରା ଗାନ୍ଧୀ ଜାନୁଆରୀ ୧୯୬୬ରୁ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ଲଗାତାର ୪୦୭୭ ଦିନ ଧରି ପ୍ରଧାନମନ୍ତ୍ରୀ ରହି ଏହି ସ୍ଥାନରେ ଥିଲେ । ଏବେ ନରେନ୍ଦ୍ର ମୋଦୀ ଏହି ରେକର୍ଡକୁ ଭାଙ୍ଗିଛନ୍ତି । ସେ ୨୦୧୪ ମସିହା ମେ ୨୬ ତାରିଖରୁ ପ୍ରଧାନମନ୍ତ୍ରୀ ପଦରେ ଅଛନ୍ତି ।
ତେବେ, ଭାରତର ସର୍ବାଧିକ ସମୟ ପାଇଁ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନାମରେ ରହିଛି । ସେ ଲଗାତାର ୧୬ ବର୍ଷ ୨୮୬ ଦିନ ଧରି ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଇନ୍ଦିରା ଗାନ୍ଧୀ ମଧ୍ୟ ମୋଟ ଚାରିଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ୧୯୬୬ରୁ ୧୯୭୭ ଏବଂ ପରେ ୧୯୮୦ରୁ ୧୯୮୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ପ୍ରଥମ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ଯିଏ ଏତେ ଦୀର୍ଘ ସମୟ ଧରି ଏହି ପଦରେ ରହିଛନ୍ତି । ଏହା ପୂର୍ବରୁ ସେ ଗୁଜରାଟର ସବୁଠାରୁ ଅଧିକ ସମୟ ପାଇଁ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ମଧ୍ୟ କରିଥିଲେ ।
ତାଙ୍କର ରାଜନୈତିକ ରେକର୍ଡରେ ତାଙ୍କ ଦଳକୁ ଲଗାତାର ତିନୋଟି ଜାତୀୟ ନିର୍ବାଚନରେ ବିଜୟୀ କରାଇବା ଅନ୍ତର୍ଭୁକ୍ତ । ଯାହା ପୂର୍ବରୁ କେବଳ ଜବାହରଲାଲ ନେହେରୁ ହାସଲ କରିଥିଲେ । ନରେନ୍ଦ୍ର ମୋଦି ତାଙ୍କ ଦଳର ପ୍ରମୁଖ ଚେହେରା ଭାବରେ ଲଗାତାର ଛଅଟି ନିର୍ବାଚନ ଜିତିଛନ୍ତି, ଯେଉଁଥିରେ ଗୁଜରାଟରେ ତିନୋଟି ଏବଂ ଜାତୀୟ ସ୍ତରର ତିନୋଟି ନିର୍ବାଚନ ସାମିଲ ଅଛି ।