କନକବ୍ୟୁରୋ: ଆସନ୍ତାକାଲି ସୁଭଦ୍ରା ଯୋଜନାର ହେବ ଶୁଭାରମ୍ଭ । ଏଥିପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଜନତା ମୈଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ନରେନ୍ଦ୍ର ମୋଦୀ । ଏଥିପାଇଁ ଜୋରଦାର ପ୍ରସ୍ତୁତି କରାଯାଉଛି। ଏୟାରପୋର୍ଟରୁ ଜନତା ମୈଦାନ ପର୍ଯ୍ୟନ୍ତ କାରକେଡ୍ ରିହରସାଲ କରାଯାଇଛି । 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଜନତା ମୈଦାନରେ ପ୍ରାୟ ୧ ଲକ୍ଷ ଲୋକ ସମାଗମ ହେଲା ଭଳି ହ୍ୟାଙ୍ଗର ଛିଡା କରାଯାଉଛି । ମୋଦୀଙ୍କ ବିଶ୍ରାମ ପାଇଁ ସ୍ୱତନ୍ତ୍ର ଲାଉଞ୍ଜ ତିଆରି ହେଉଛି । ସଭାସ୍ଥଳକୁ ପ୍ରଧାନମନ୍ତ୍ରୀଙ୍କ ଗାଡି ଯିବା ପାଇଁ ସ୍ୱତନ୍ତ୍ର ଅସ୍ଥାୟୀ ରାସ୍ତା ନିର୍ମାଣ ଚାଲିଛି । ଜନ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି । 

ପ୍ରାୟ ୫୦ ହଜାର ମୋବାଇଲ ଟଏଲେଟ, ପାଣି ଟାଙ୍କି କାର୍ଯ୍ୟ ଚାଲିଛି । ଗାଡି ପାର୍କିଂ ସ୍ଥାନ ବ୍ୟବସ୍ଥା ରହିଛି। ଜନତା ମୈଦାନର ଚାରି ପାଖେ ବ୍ୟାରିକେଡ଼ ବ୍ୟବସ୍ଥା ହୋଇଛି । ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଥିବାରୁ ବିପୁଳ ଜନସମାଗମ ହେବାର ଆଶଙ୍କା ରହିଛି । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଲୋକଙ୍କ ଯିବା ଆସିବା ଓ ପାର୍କିଂ ପାଇଁ କଟକଣା ଜାରି କରିଛି ପୋଲିସ । ସକାଳ ୭ଟା ୩୦ରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ  କଟକଣା ଲାଗୁ ହୋଇଛି ।