କନକ ବ୍ୟୁରୋ : ପାକିସ୍ତାନ ସେନା ମୁଖପାତ୍ରଙ୍କ ଭାରତକୁ ପୁଣି ଫମ୍ପା ଧମକ ଦେଇଛନ୍ତି । ରାଜନେତାଙ୍କ ପରେ ଏବେ ପାକ୍ ଆର୍ମୀ ସିଦ୍ଧୁ ଜଳ ବିବାଦ ଉପରେ ମତ ରଖିଛି, ଆତଙ୍କୀ ହାଫିଜ ସଇଦ ସହ ସ୍ବର ମିଶାଇଛନ୍ତି ଆର୍ମୀ ମୁଖପାତ୍ର । ସିନ୍ଧୁ ଜଳ ସନ୍ଧି ନେଇ ଆତଙ୍କବାଦୀ ହାଫିଜ ସଈଦଙ୍କ ଭାଷାରେ ଚେତାବନୀ ଦେଇ ପାକିସ୍ତାନ ସେନାର ମୁଖପାତ୍ର ଲେଫ୍ଟେନାଣ୍ଟ ଜେନେରାଲ ଅହମଦ ଶରିଫ ଚୌଧୁରୀ ସିନ୍ଧୁ ଜଳ ସନ୍ଧିକୁ ନେଇ ଭାରତକୁ ଏକ ନୂଆ ଧମକ ଦେଇଛନ୍ତି । ଆତଙ୍କବାଦୀ ହାଫିଜ ସଈଦଙ୍କ ଭାଷାକୁ ଅନୁକରଣ କରି କହିଛନ୍ତି, ଯଦି ତୁମେ ଆମର ଜଳ ବନ୍ଦ କରିବ, ଆମେ ତୁମର ନିଃଶ୍ବାସ ବନ୍ଦ କରିଦେବୁ । ଏହି ବିବାଦୀୟ ବୟାନ ଏକ ସର୍ବସାଧାରଣ ସଭାରେ ଦିଆଯାଇଛି, ଯେଉଁଠାରେ ସେନା ମୁଖପାତ୍ର ଭାରତର ସିନ୍ଧୁ ଜଳ ସନ୍ଧି ସ୍ଥଗିତ ନିଷ୍ପତ୍ତିକୁ ଟାର୍ଗେଟ କରିଥିଲେ । ୧୯୬୦ରେ ବିଶ୍ୱ ବ୍ୟାଙ୍କ ଦ୍ୱାରା ମଧ୍ୟସ୍ଥତା କରାଯାଇଥିବା ଜଳ ସନ୍ଧି ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ନଦୀ ଓ ତାହାର ସହାୟକ ନଦୀଗୁଡିକର ଜଳ ବଣ୍ଟନ ନିୟନ୍ତ୍ରଣ କରେ । ଭାରତର ଏହି ନିଷ୍ପତ୍ତି ପାକିସ୍ତାନର ଜଳ ସୁରକ୍ଷାକୁ ବିପଦରେ ପକାଇଛି, କାରଣ ପାକିସ୍ତାନ ତା’ର କୃଷି ପାଇଁ ସିନ୍ଧୁ ନଦୀ ଉପରେ ପ୍ରାୟ ୮୦% ନିର୍ଭର କରେ । ଭାରତୀୟ ଅଧିକାରୀମାନେ ପାକିସ୍ତାନର ଏହି ବୟାନକୁ ଆତଙ୍କବାଦୀ ମାନସିକତାର ପ୍ରତିଫଳନ ବୋଲି ସମାଲୋଚନା କରିଛନ୍ତି । ପଦାରେ ପଡିଛି ଆତଙ୍କୀବାଦୀ ଓ ପାକ ସେନାର ଚରିତ୍ର, ଯଦି ଆତଙ୍କବାଦୀ ହାଫିଜର କଥା ସେନା କହିବ ତେବେ ଆତଙ୍କବାଦୀ ଓ ସେନା ମଧ୍ୟରେ ପାର୍ଥକ୍ୟ କଣ ରହିଲା । କିଛିଦିନ ପୂର୍ବରୁ ଆପଣ ଦେଖିଥିଲେ ଆତଙ୍କୀଙ୍କ ମୃତ୍ୟରେ ପାକ ପୋଲିସ ଓ ସେନା ଉପସ୍ଥିତ ରହିଥିଲା ଏବଂ ବିଶ୍ବକୁ ପାକିସ୍ତାନ ଗୋଟେ ବାର୍ତ୍ତା ଦେଇଥିଲା ଯେ, ଆମେ ଆତଙ୍କବାଦୀଙ୍କ ସାଙ୍ଗରେ ଅଛୁ ଓ ରହିବୁ । ସେପେଟ ପୁଣି ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ପାକିସ୍ତାନ ଉପରେ ଭାରତ ଠିକ ସମୟରେ ଉଚିତ ପଦକ୍ଷେପ ଗ୍ରହଣ କରିଛି । ଯେଉଁ ଉପାୟରେ ଶତ୍ରୁ ଦେଶକୁ ଜବାବ ଦେଇଛି ତାକୁ ସାରା ବିଶ୍ବ ପ୍ରଶଂସା କରୁଛି । କେବଳ ଏବଂ କେବଳ ଆତଙ୍କବାଦୀ ଶିବିରଗୁଡ଼ିକୁ ନଷ୍ଟ କରିଦେଇଛୁ, ଯେଉଁମାନେ ଆମ ଭୂମିରେ ଅପରାଧ କରିଥିଲେ । ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଆତଙ୍କୀ ନଜର ଆସିଲେ ସଙ୍ଗେ ସଙ୍ଗେ ନିପାତ କରାଯିବ । ପାକିସ୍ତାନରେ ଖୁଲମଖୁଲ୍ଲା ଘୁରିବୁଲୁଛନ୍ତି ଆତଙ୍କବାଦୀ । ଯେଉଁମାନେ ବିଶ୍ବ ଆତଙ୍କୀ ତାଲିକାରେ ଅଛନ୍ତି ସେମାନେ ନିର୍ଭିକଭାବେ ପାକିସ୍ତାନରେ ବୁଲୁଛନ୍ତି । କାରଣ ସେମାନଙ୍କ ପଛରେ ରହିଛି ପାକ ସରକାର ଓ ସେନାର ପୂର୍ଣ୍ଣ ସମର୍ଥନ । ଏଥିସହ ଜୟଶଙ୍କର କହିଛନ୍ତି ଏବେ ବି ଅପରେସନ ସିନ୍ଦୂର ଶେଷ ହୋଇନି । ଏଣିକି ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେବାକୁ ଭାରତକୁ ଆଉ କେହି ରୋକିପାରିବେନି ବୋଲି ଜୟଶଙ୍କର କହିଛନ୍ତି ।
ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସିମ ମୁନୀରଙ୍କ ସମ୍ପର୍କରେ ବିସ୍ଫୋରକ ବୟାନ ଦେଇଛନ୍ତି । ମୁନୀରଙ୍କୁ ମଙ୍ଗଳବାର ଫିଲ୍ଡ ମାର୍ଶାଲ ପଦବୀରେ ପଦୋନ୍ନତି ମିଳିବା ପରେ ଇମରାନ ଖାନ ଏକ୍ସରେ ପୋଷ୍ଟ କରି କହିଛନ୍ତି ପାକିସ୍ତାନରେ ଏବେ “ଜଙ୍ଗଲ ରାଜ୍” ଚାଲିଛି, ତେଣୁ ମୁନୀରଙ୍କୁ “ଫିଲ୍ଡ ମାର୍ଶାଲ” ବଦଳରେ “ରାଜା” ଉପାଧି ଦେବା ଅଧିକ ଉପଯୁକ୍ତ ହୋଇଥାନ୍ତା । ଏଇଥିରୁ ଦର୍ଶାଉଛି ପାକିସ୍ତାନରେ ଚାଲିଛି କଣ ? ଆଉ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରୁ ସ୍ପଷ୍ଟ ସଂଙ୍କେତ ମିଳୁଛି ଯେ, ଇମ୍ରାନ ବିଦା ହେବା ପଛରେ ମୁନୀରଙ୍କ ହାତ ରହିଥିଲା ।