teachers strike Photograph: (kanakNews)
କନକ ବ୍ୟୁରୋ: ୩ ଦଫା ଦାବି ନେଇ ଫେବ୍ରୁଆରୀ ୧୬ ରେ ବିଧାନସଭା ଘେରିବେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ । ୨୦୧୦ ମସିହାରେ ଶିକ୍ଷା ଅଧିକାର ଅଧିନିୟମ ରାଜ୍ୟରେ ଲାଗୁ ହୋଇଥିଲେ ମଧ୍ୟ ସରକାର ତାହାକୁ ଆଦୌ କାର୍ୟ୍ୟକାରୀ କରୁନାହାନ୍ତି । ଆଦର୍ଶ ବିଦ୍ୟାଳୟ ନାମରେ ପ୍ରତି ପଞ୍ଚାୟତରେ ଗୋଦାବରୀଶ ବିଦ୍ୟାଳୟ ଖୋଲି ଅନ୍ୟ ବିଦ୍ୟାଳୟ ବନ୍ଦ କରିବାକୁ ବସିଛନ୍ତି ବୋଲି ସଂଘ ଅଭିଯୋଗ ଆଣିଛି । ଶିକ୍ଷା ଅଧିକାର ଆଇନରେ ପ୍ରାଥମିକ ବିଦ୍ୟାଳୟ ପାଇଁ ଉଲ୍ଲେଖ ଥିବା ଭିଭି ଭୂମିର ବିକାଶ କରୁନାହାନ୍ତି ।
ଅନ୍ୟପଟେ ନିୟମିତ ଶିକ୍ଷକ ନିଯୁକ୍ତ ନକରି ଚୁକ୍ତି ବା ସ୍କିମ ମାଧ୍ୟମରେ ଶିକ୍ଷକ ନିଯୁକ୍ତି କରୁଛନ୍ତି । ପୂର୍ବରୁ ଶିକ୍ଷକଙ୍କ ବିଭିନ୍ନ ପ୍ରସଙ୍ଗ ଓ ଆନ୍ଦୋଳନକୁ ନେଇ ବିଧାନସଭା ଅଚଳ କରିଥିଲେ ତତ୍କାଳୀନ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କିନ୍ତୁ ସରକାର ଆସିବାର ୮ ମାସ ପରେ ବି ଦାବି କୁ ନେଇ କୌଣସି ସମାଧାନ ହୋଇନାହିଁ ।
ଏସବୁ ସମସ୍ୟାକୁ ନେଇ ପ୍ରାଥମିକଶିକ୍ଷାରୁ ସ୍କିମାଟିକ ନିଯୁକ୍ତି ଉଚ୍ଛେଦ କରିବା ଓ ନିଯୁକ୍ତ ପାଇଥିବା ଷ୍ଟିମାଟିକ ଶିକ୍ଷକମାନଙ୍କୁ ତୁରନ୍ତ ନିୟମିତ ଶିକ୍ଷକ କରିବା, ୮ ଓ ୬ ବର୍ଷର ଶିକ୍ଷା ସହାୟକ କନିଷ୍ଠ ଶିକ୍ଷକ ମାନଙ୍କ କାର୍ୟ୍ୟକାଳକୁ ନେସନାଲ ଇନକ୍ରିମେଣ୍ଟ ଦେଇ ଗଣନା କରିବା, ଅନ୍ୟ ରାଜ୍ୟ ଭଳି ପ୍ରାଥମିକ ଶିକ୍ଷକମାନଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ୩୫,୪୦୦ ଦରମା ଦେବ ଓ ଶିକ୍ଷକ ମାନଙ୍କୁ ପୁରୁଣା ପେନସନ ପ୍ରଦାନ କରିବା ଦାବିରେ ସବୁବର୍ଗର ପ୍ରାଥମିକ ଶିକ୍ଷକ ମାନେ ଆସନ୍ତା ବିଧାନସଭା ସମୟରେ ତା ୧୬.୦୨.୨୦୨୫ ରେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିବ ବୋଲି ଚେତାବନୀ ଦେଇଛି ସଂଘ।
Follow Us