କନକ ବ୍ୟୁରୋ: ପ୍ରେସ୍ ସୂଚନା ବ୍ୟୁରୋ (ପିଆଇବି)ର ଗଣାମାଧ୍ୟମ ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ। କେରଳ ଗସ୍ତ ଓଡ଼ିଶାର ଏକ ମିଡିଆ ପ୍ରତିନିଧି ଦଳ କେରଳର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟିଛନ୍ତି । ଏହି ସାକ୍ଷାତକାରରେ ଶାସନ ବ୍ୟବସ୍ଥା, ଲୋକପ୍ରଶାସନ, ସହକାରୀ ସଂଘବାଦ ଓ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଆଲୋଚନାରେ ରାଜ୍ୟପାଳ କେରଳର ସାମାଜିକ କ୍ଷେତ୍ରର ଅଭିଯାନ ଓ ସଫଳତାକୁ ଉଲ୍ଲେଖ କରି ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ରାଜ୍ୟର ଉଲ୍ଲେଖନୀୟ ସଫଳତା ବିଷୟରେ କହିଥିଲେ । ସେ କହିଥିଲେ ଯେ, ମାନବ ବିକାଶ ସୂଚନାଙ୍କରେ କେରଳ ସବୁବଳେ ପ୍ରଥମ ସ୍ଥାନରେ ରହିଆସିଛି ।

Advertisment

ରାଜ୍ୟର ମଜବୁତ ସ୍ୱାସ୍ଥ୍ୟ ଢାଞ୍ଚା ଓ ୧୦୦ ପ୍ରତିଶତ ସାକ୍ଷରତା ହାସଲ କରିଥିବା ଉଲ୍ଲେଖ କରି ସେ କହିଥିଲେ ଯେ, ସମାବେଶୀ ଓ ସ୍ଥାୟୀ ଉନ୍ନତି ପାଇଁ ଶିକ୍ଷା ଅତ୍ୟନ୍ତ ଆବଶ୍ୟକ ।ରାଜ୍ୟପାଳ କେରଳର ସମୃଦ୍ଧ ସାଂସ୍କୃତିକ ପରମ୍ପରା, ପ୍ରାକୃତିକ ସୌନ୍ଦର୍ୟ୍ୟ ଓ ସ୍ୱଚ୍ଛତାର ଉଚ୍ଚ ମାନକୁ ରାଜ୍ୟର ପରିଚୟର ଅଂଶ ବୋଲି ବର୍ଣ୍ଣନା କରିଥିଲେ । ଓଡ଼ିଶା ସହ ତାଙ୍କ ସମ୍ପର୍କ ଓ ଓଡ଼ିଶା ଭ୍ରମଣର ଅନୁଭବକୁ ବଖାଣିଥିଲେ । ଏଥିସହ ପ୍ରତିନିଧି ଦଳକୁ ଶୁଭେଚ୍ଛା ଜଣାଇଥିଲେ । ଏହି ସାକ୍ଷାତକାର ସମୟରେ ଲୋକତାନ୍ତ୍ରିକ ଶାସନ ଓ ସାମ୍ୱିଧାନିକ ସଂସ୍ଥାଗୁଡ଼ିକର ଭୂମିକା ନେଇ ମତ ବିନିମୟ ହୋଇଥିଲା । ପ୍ରତିନିଧି ଦଳ ମଧ୍ୟ କେରଳ ଭ୍ରମଣ ସମ୍ପର୍କରେ ତାଙ୍କର ଅନୁଭବ ରାଜ୍ୟପାଳଙ୍କୁ ବଖାଣିଥିଲେ ।

 ଆହୁରି ପଢ଼ନ୍ତୁ:ସୃଷ୍ଟିର ଆଧାରରୁ ଦେଶ ଗଢ଼ିବା ଯାଏଁ, ମହିଳାଙ୍କ ଅବଦାନ ଅତୁଳନୀୟ