କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ସାରା ଦୁନିଆକୁ ହଲଚଲ କରୁଛି । ପ୍ରଥମେ ଟାରିଫ୍ ବିଭିନ୍ନ ରାଷ୍ଟ୍ରର ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଏବେ ପ୍ରବାସୀଙ୍କ ମୁଣ୍ଡରେ ଚଡ଼କ ପକାଇପାରେ ଭିସାକୁ ନେଇ ଟ୍ରମ୍ପ ପ୍ରଶାସନର ନୂଆ ଘୋଷଣା ।
ଆମେରିକାରେ ପ୍ରବାସୀଙ୍କ ସଂଖ୍ୟା କମ୍ କରିବାକୁ ଚାହୁଛି ଆମେରିକା । ଏନେଇ ଆହୁରି କଡ଼ାକଡ଼ି ହେବ ଭିସା ନିୟମ । ଅଧିକ ସମସ୍ୟାରେ ପଡ଼ିବେ ଏଚ୍- 1 B ଭିସାଧାରୀ ଭାରତୀୟ । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଇଟି ବୃତ୍ତିଧାରୀ। ରୁଷରୁ ତେଲ ନକିଣିବା ପାଇଁ ଟ୍ରମ୍ପଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇବାକୁ ଭାରତ ସ୍ପଷ୍ଟ କରିବା ପରେ ଆମେରିକା ଏବେ ଭାରତୀୟଙ୍କ ଭିସାକୁ ଆଳ ସମସ୍ୟା ସୃଷ୍ଟି କରିବାକୁ ଚାହୁଛି। ନିକଟରେ ଆମେରିକା ବୈଦେଶିକ ମନ୍ତ୍ରାଳୟ ଏକ ଅଧିସୂଚନା ଜାରି କରିଛି । ଏଥିରେ କୁହାଯାଇଛି,
ତେବେ ଯୋଗ୍ୟ ଭିସା ପାଇଁ ଇମିଗ୍ରେସନ ପଲିସିରେ କିଛି ନିୟମ ରଖାଯାଇଛି । ଭିସା ଅବଧିରେ ଗଡ଼ବଡ଼, କୌଣସି ପ୍ରକାର ଆପରାଧିକ ଗତିବିଧି, ସୁରକ୍ଷାରେ ତ୍ରୁଟି, ଆତଙ୍କୀ କାର୍ଯ୍ୟକଳାପ, ବିଦେଶନୀତି ବିରୋଧକୁ ପ୍ରମୁଖ ନିୟମ ରଖାଯାଇଛି । ଏସବୁରେ ତ୍ରୁଟି ଥିଲେ ଭିସା ରଦ୍ଦ ହେବ। ସେହିପରି ବଡ଼ବଡ଼ ଯାନ ପାଇଁ ଦୁର୍ଘଟଣା ସଂଖ୍ୟା ବଢ଼ିବାରୁ ବିଦେଶୀ ଟ୍ରକ୍ ଚାଳକଙ୍କୁ ଏଣିକି ଆମେରିକାରେ ଶ୍ରମିକ ଭିସା ମିଳିବନି । ଛାତ୍ରଛାତ୍ରୀଙ୍କୁ ଭିସା ପାଇଁ ନିଜ ସୋସିଆଲ ମିଡିଆ ତଥ୍ୟ ଦେବାକୁ ପଡ଼ିବ ।
ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସେଥିମଧ୍ୟରୁ ଦେଶରେ ଅନୁପ୍ରବେଶକାରୀଙ୍କ ସହ ପ୍ରବାସୀଙ୍କ ଉପରେ କଡ଼ା କଟକଣା ଲଗାଯିବ ବୋଲି ସଙ୍କେତ ମିଳିଥିଲା ।
ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପ୍ରବାସୀ ଭାରତୀୟଙ୍କ ପାଇଁ ବଡ଼ ସମସ୍ୟା ଆଣିପାରେ ।ଏଚ-ୱାନ ବି ଭିସାରେ ବଡ଼ ପରିବର୍ତ୍ତନ ଅଣାଗଲେ ଆଇଟି ପ୍ରଫେସନରେ କାମ କରୁଥିବା ହଜାର ହଜାର ଭାରତୀୟଙ୍କ ପାଇଁ ଆମେରିକାରେ ରହିବା ବା ସେଠାକୁ ଯିବା କାଠିକର ପାଠ ହୋଇପାରେ ।
ନିକଟରେ ବିଭିନ୍ନ ଦେଶରୁ ଯାଇ ଆମେରିକାରେ ରହୁଥିବା ଅନୁପ୍ରବେଶକାରୀଙ୍କୁ ବିଦା କରିଥିଲେ ଟ୍ରମ୍ପ । ଯେଉଁଥିରେ ବାଦ୍ ପଡ଼ିନଥିଲା ଭାରତ । ଭାରତୀୟଙ୍କ ହାତଗୋଡ଼ରେ ବେଡ଼ି ବନ୍ଧା ଘଟଣା ପାଇଁ ଉଭୟ ଦେଶ ମଧ୍ୟ ବିବାଦ ଦେଖାଯାଇଥିଲା । ଏବେ ଭିସାକୁ ନେଇ ନୂଆ ବିବାଦ ଦେଖାଦେବାକୁ ଯାଉଛି।