କନକ ବ୍ୟୁରୋ : ଆଉ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଏହି ସମୟରେ ଜୋ ବାଇଡେନଙ୍କ ପାର୍ଟି ଡେମୋକ୍ରାଟ୍ସ ଆଗାମୀ ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି ହିନ୍ଦୁମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ, ଭାରତୀୟ ମୂଳବାସିନ୍ଦା ଆମେରିକୀୟ ନାଗରିକମାନଙ୍କୁ ସୋମବାରରେ ହ୍ବାଇଟ ହାଉସକୁ ନିମନ୍ତ୍ରଣ କରାଯାଇଥିଲା । ଏହି ସମୟରେ ବେଇଡେନ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ହ୍ବାଇଟ ହାଉସ ମୋର ନୁହେଁ , ଏହା ତୁମର ଘର । ରାଷ୍ଟ୍ରପତିଙ୍କ ଏହି ବିବୃତ୍ତି ପରେ ହଲରେ ବସିଥିବା ଲୋକମାନେ ଆନନ୍ଦରେ ଚହଳ କରିବାକୁ ଲାଗିଲେ । କମଲା ହାରିସ ବାଇଡେନଙ୍କ ଡେମୋକ୍ରାଟ୍ସ ପାର୍ଟିର ଅଟନ୍ତି ଏବଂ ସେ ମଧ୍ୟ ଭାରତୀୟ । ଏଭଳି ପରିସ୍ଥିତିରେ ଆମେରିକାର ହିନ୍ଦୁ ସମାଜ ଉପରେ ତାଙ୍କର ଦୃଢ ବିଶ୍ୱାସ ରହିଛି ।
ତେବେ ସର୍ଭେରୁ ଏହା ମଧ୍ୟ ଜଣାପଡିଛି ଯେ ଭାରତୀୟମାନଙ୍କର ଏକ ଛୋଟ ଦଳ ମଧ୍ୟ ଡୋନାଲଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟି ସହିତ ଅଛନ୍ତି । ଆମେରିକାରେ ପ୍ରାୟ ୨.୬ ନିୟୁତ ଭାରତୀୟ ଲୋକ ଅଛନ୍ତି । ହ୍ବାଇଟ୍ ହାଉସରୁ ଗୋଟିଏ ଦିନ ପୂର୍ବରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ପୂର୍ବ ବର୍ଷର ପରମ୍ପରା ଜାରି ରଖି ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ଭାଷଣ ପୂର୍ବରୁ ବ୍ଲୁ ରୁମରେ ଦୀପ ଜାଳିବେ । ଦୀର୍ଘ ଦିନ ଧରି ହ୍ବାଇଟ ହାଉସରେ ଏହି କାର୍ୟ୍ୟକ୍ରମ ଆୟୋଜିତ ହେଉଛି । ହ୍ବାଇଟ୍ ହାଉସରେ ଦୀପାବଳି ଉତ୍ସବ କାର୍ୟ୍ୟକ୍ରମ ଜର୍ଜ ଡବ୍ଲୁ ବୁଶଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା । ପରେ ଓବାମା , ଟ୍ରମ୍ପ ଏବଂ ବାଇଡେନ ଶାସନ ସମୟରେ ମଧ୍ୟ ଏହା ଜାରି ରହିଲା ।