କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାର ଘରେ ଘରେ ଆଜି ପିଠାପଣା, ଖରି ପୁରିର ବାସ୍ନା । ଗଣପର୍ବ ନୂଆଁଖାଇ ପାଇଁ ସବୁ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ । ଗାଁଠୁ ସହର ସବୁଠି ବାରି ହୋଇପଡ଼ୁଛି ନୂଆଁଖାଇ ଝଲକ । ମା’ ସମଲେଶ୍ବରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ଏହା ପରେ ମା’ଙ୍କ ଦର୍ଶନ ପାଇଁ ମନ୍ଦିରରେ ଲାଗିଛି ଭିଡ଼ ।
ନୂଆଁଖାଇ ଅବସରରେ ଭୋଗମଣ୍ଡପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ବିଧାୟକ ଜୟନାରାୟଣ ମିଶ୍ର ଏବଂ ସେମାନଙ୍କ ସମର୍ଥକଙ୍କ ସହିତ ୨୯ ଜଣ ଜାତୀୟସ୍ତରର ଗଣମାଧ୍ୟମ ପ୍ରତିନିଧି ନବାନ୍ନ ଗ୍ରହଣ କରିଛନ୍ତି । ଦିନ ୧୦ଟା ବେଳକୁ ମନ୍ଦିରକୁ ଭୋଗ ଅଣାଯିବ। ୧୦ଟା ୩୩ରୁ ପୂଜା ଆରମ୍ଭ ହୋଇ ୧୧୫ ପାର୍ଶ୍ବ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ପରେ ମଙ୍ଗଳ ଆଳତି ହୋଇଛି । ନୂଆଭୋଗ ଲାଗି ପରେ ପ୍ରାୟ ୧୨ଟା ୩୦ ବେଳକୁ ଭକ୍ତ ଦର୍ଶନ କରିବେ। ଏହି ଅବସରରେ ନୂଆ ଚାଉଳର ସହିତ କ୍ଷୀରି, ପିଠା, ସାରୁଶାଗ ଲାଗି ହେବ । ଏହା ପରେ ଲୋକେ ନିଜ ନିଜ ଘରେ କୁଳ ଦେବଦେବୀଙ୍କୁ ନୂଆଭୋଗ ଲାଗି କରି ନିଜେ ନୂଆ ଖାଇବେ । ଏହା ସହ ଚାଷୀମାନେ ଜମି ପୂଜା, କୁମ୍ଭାରମାନେ କୁମ୍ଭାର ଚକ ପୂଜା କରିବେ । ବିଭିନ୍ନ ବୃତ୍ତିର ଲୋକେ ନିଜ ପେସାଗତ ଉପକରଣ, ଯନ୍ତ୍ରପାତି, ଜୀବଜନ୍ତୁଙ୍କୁ ପୂଜା କରିବାର ବିଧି ରହିଛି ।