କନକ ବ୍ୟୁରୋ: ଆସନ୍ତା ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜୁଲାଇ ୧୪ ଓ ୧୫ ତାରିଖରେ ମହାମହିମ ମୁର୍ମୁଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି l ଏନେଇ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷ୍ୟତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଲୋଚିତ ସୂଚନା ଅନୁସାରେ ଜୁଲାଇ ୧୪ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଏମ୍ସ ଭୁବନେଶ୍ୱରର ପଞ୍ଚମ ସମାବର୍ତ୍ତନ ସମାରୋହରେ ଯୋଗଦେବେ ଏବଂ  ଜୁଲାଇ ୧୫ ତାରିଖ ପୂର୍ବାହ୍ନରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ପରେ ପରେ ସେ କଟକ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

Advertisment

ସେହିପରି ଜୁଲାଇ ୧୫ ତାରିଖ ଅପରାହ୍ଣରେ ରାଷ୍ଟ୍ରପତି ମୁର୍ମୁ କଟକ ତୁଳସୀପୁର ବିଜୁ ପଟ୍ଟନାୟକ ଛକ ସ୍ଥିତ ଶାରଳା ଭବନ ଯାଇ ଆଦିକବି ଶାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଆଦିକବି ଶାରଳା ଦାସଙ୍କ ୬୦୦ତମ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କଳିଙ୍ଗ ରତ୍ନ ପୁରସ୍କାର-୨୦୨୪’’ ପ୍ରଦାନ କରିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୪ ତାରିଖ ଅପରାହ୍ଣରେ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ଏବଂ  ୨ ଦିନ ଧରି ଭୁବନେଶ୍ୱର ସମେତ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ଜୁଲାଇ ୧୫ ତାରିଖ ସଂଧ୍ୟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।