କନକ ବ୍ୟୁରୋ : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହକୁ ସମ୍ୱୋଧିତ କରି ଏହି ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ପୋଷ୍ୟଗ୍ରାମ ଗ୍ରହଣ କରନ୍ତୁ ବିଶ୍ୱବିଦ୍ୟାଳୟ । ଗାଁରେ କିଛି ଦିନ ବିତାନ୍ତୁ ଛାତ୍ରଛାତ୍ରୀ  ବୋଲି ମହାମହିମ ପରାମର୍ଶ ଦେଇଛନ୍ତି । ତେବେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ଦର୍ଶନ ଓ ନାଭିଗୟାରେ ପିଣ୍ଡଦାନରୁ ଆରମ୍ଭ ହୋଇଥିଲା ରାଷ୍ଟ୍ରପତିଙ୍କ ଆଜିର କାର୍ୟ୍ୟକ୍ରମ । 
Advertisment
 ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ସଜେଇ ହୋଇଥିଲା ବିରଜା କ୍ଷେତ୍ର । ରାସ୍ତାର ଉଭୟ ପାର୍ଶ୍ୱରେ ସମବେତ ହୋଇ ଦେଶର ପ୍ରଥମ ନାଗରିକ ବନିଥିବା ଓଡ଼ିଆ ଝିଅଙ୍କୁ ଅତି ଉତ୍ସାହର ସହ ପାଛୋଟି ନେଇଥିଲେ ଯାଜପୁରବାସୀ । ସ୍ୱତନ୍ତ୍ର ସୁରକ୍ଷା ବଳୟରେ ବିରଜା ମନ୍ଦିରକୁ ଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ମାଆ ବିରଜାଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି । ମନ୍ତ୍ରଧ୍ୱନିରେ ଗୁଞ୍ଜରିତ ହୋଇଥିଲା ଗର୍ଭଗୃହ । ଏହା ପରେ ବେଢ଼ା ପରିକ୍ରମା ସହ ମୁକ୍ତି ମଣ୍ଡପ ସଭାରେ ଆଶୀର୍ବାଦ ଗ୍ରହଣ କରିଥିଲେ । ମନ୍ଦିର ସମ୍ମୁଖରୁ ବ୍ରହ୍ମାକୁଣ୍ଡ ପର୍ଯ୍ୟନ୍ତ  ଚାଲିଚାଲି ଯିବା ବେଳେ ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇବା ସହ ଛୋଟ ଛୋଟ ପିଲାଙ୍କୁ ଚକଲେଟ୍ ବାଣ୍ଟିଥିଲେ ରାଷ୍ଟ୍ରପତି । ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ବୌଦ୍ଧ ମୂର୍ତ୍ତି ଏବଂ ଟସର ଶାଢ଼ି ଉପହାର ପ୍ରଦାନ କରାଯାଇଥିଲା। ଏହା ପରେ ନିମନ୍ତ୍ରିତ ବ୍ରହ୍ମକୁମାରୀମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ।
ଯାଜପୁର ପରେ ବାଲେଶ୍ୱର ଗସ୍ତ କରି, ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ସେଠାରେ ଉପସ୍ଥିତ କୂଳପତି, ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରି,  ଅଞ୍ଚଳର ବିକାଶରେ ବିଶ୍ୱବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀଙ୍କ ଯୋଗଦାନ ଉପରେ ସେ ଗୁରୁତ୍ୱାରୋପ କରିଥନ୍ତି । ରାଜ୍ୟପାଳ ତଥା କୂଳାଧିପତି ଡକ୍ଟର ହରିବାବୁ କମ୍ଭମପାଟି ମଧ୍ୟ ସମାରୋହରେ ଯୋଗ ଦେଇଥିଲେ । ଏହି ଅବସରରେ ୧୫ ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି ।  ଆଜି ପୁରୀରେ ରାତ୍ରିଯାପନ କରିବା ପରେ ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି । ଏଥିସହ ଶ୍ୱେତଗଙ୍ଗାରେ ପିଣ୍ଡଦାନର କାର୍ୟ୍ୟକ୍ରମ ରହିଛି ।