କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ଘେରିବାକୁ ବିଜେଡିର ରଣନୀତି । ନାରୀ ସୁରକ୍ଷା ଓ ଚାଷୀ ସମସ୍ୟା ପ୍ରସଙ୍ଗରେ ସରକାରଙ୍କୁ କିପରି ଘେରିବେ, ସେନେଇ ଶଙ୍ଖଭବନରେ ହୋଇଛି ବୈଠକ । ଗତକାଲି ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ୬ ଘଣ୍ଟିଆ ହରତାଳ କରିଥିଲା । ଆସନ୍ତା ୧୮ ତାରିଖରେ ବରଗଡ଼ରେ ଚାଷୀ ସମାବେଶ ପାଇଁ ଦଳ ପ୍ରସ୍ତୁତି କରୁଛି ।
ସରକାରଙ୍କୁ ଘେରିବାକୁ ବିଜେଡିର ସମରସଜ୍ଜା
ଉପକୂଳରେ ନାରୀ ସୁରକ୍ଷା, ପଶ୍ଚିମମରେ ଚାଷୀ ସମସ୍ୟା
ଇନପୁଟ ସବିସିଡି ୮୦୦ ଟଙ୍କା ଦେଇ ଚାଷୀଙ୍କ ମନ ଜିଣିଥିଲେ ମୋହନ ସରକାର । ହେଲେ, ଚାଷୀ କାଳେ ଆଗକୁ ବିଜେପି ଆଡ଼କୁ ମୁହାଁଇଯିବେ ଆଉ ପଶ୍ଚିବ ଓଡ଼ିଶା ଭୋଟ ବ୍ୟାଙ୍କ ପୁଣିଥରେ ହାତରୁ ଖସିଯିବ, ଆଶଙ୍କାରେ ବିଜେଡି । ତମାମ ଚାଷୀ ସମସ୍ୟାକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କ ବିରୋଧରେ ଅଗଷ୍ଟ ୧୮ ତାରିଖରେ ବରଗଡ଼ରେ ବିଶାଳ ଚାଷୀ ସମାବେଶ କରିବାକୁ ଯାଉଛି ଦଳ । ଚାଷୀଙ୍କ ପଞ୍ଜୀକରଣ ଠାରୁ ନେଇ ଧାନକିଣାରେ ଟାଳଟୂଳ ନୀତି, ଓଡ଼ିଶା ପାଇଁ କେନ୍ଦ୍ରୀୟ କୃଷି ବଜେଟରେ ହ୍ରାସ ପ୍ରସଙ୍ଗରେ ପଶ୍ଚିମ ଓଡ଼ିଶାରେ ସମାବେଶ କରିବ ଦଳ। ଏନେଇ ଶଙ୍ଖ ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ ।
କିଛି ଦିନ ହେବ ନାରୀ ସୁରକ୍ଷା ଓ ଆଇନଶୃଙ୍ଖଳାକୁ ବଡ଼ ଅସ୍ତ୍ର କରି ଉପକୂଳ ଓଡ଼ିଶାରେ ରାଜରାସ୍ତାରେ ଜୋରଦାର ପ୍ରତିବାଦ କରୁଛି । ବଳଙ୍ଗା ପୀଡ଼ିତା ଘଟଣାରେ ପୁରୀରେ ୬ଘଣ୍ଟିଆ ହରତାଳ, ପଟ୍ଟାମୁଣ୍ଡାଇରେ ଛାତ୍ରୀ ଜଳିଯିବା ଘଟଣାରେ ପ୍ରତିବାଦ ଓ ଏଫଏମ୍ କଲେଜ ଛାତ୍ରୀ ଆତ୍ମଦାହ ଘଟଣାରେ ବାଲେଶ୍ବର ବନ୍ଦ କରିଥିଲା ଦଳ । ସେପଟେ ବିଜେଡିର ଆନ୍ଦୋଳନକୁ ନେଇ ତେଜିଛି ରାଜନୀତି । ରାଜ୍ୟର ଜନସାଧାରଣ ସମ୍ମୁଖୀନ କରୁଥିବା ସମସ୍ୟାକୁ ଆୟୁଧ କରି ପୁଣିଥରେ ନିଜ ଭୋଟ ବ୍ୟାଙ୍କ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛି ବିଜେଡି ।