କନକ ବ୍ୟୁରୋ : କାଳୀପୂଜା ପାଇଁ ଉତ୍ସବମୁଖର ହୋଇ ଉଠିଛି ଯାଜପୁର ଜିଲ୍ଲା । ପ୍ରତି ଛକରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ସହର । ଭଳିକି ଭଳି ଶୈଳୀରେ ମା’ କାଳୀ ଓ ଲକ୍ଷ୍ମୀନାରାୟଣଙ୍କ ମୂର୍ତ୍ତି ପ୍ରସ୍ତୁତିରେ ବ୍ୟସ୍ତ କାରିଗର । ଚଳିତ ବର୍ଷ ଯାଜପୁର ସହରରେ ୪୪ଟି ମଣ୍ଡପ ଓ ବ୍ୟାସନଗରର ୧୮ଟି ମଣ୍ଡପରେ ମା’ ପୂଜା ପାଇବେ । ପୂଜାକୁ ଆକର୍ଷଣୀୟ କରିବା ପାଇଁ ପୂଜା କିମିଟି ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଦର୍ଶକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି ।
କାଳୀପୂଜା ପାଇଁ ଭଦ୍ରକ ଜିଲ୍ଲା ବି ଚଳଚଞ୍ଚଳ ହୋଇଉଠିଛି । ୯ ଦିନ ଧରି ଚାଲିବାକୁ ଥିବା ଏହି ପୂଜା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ସୁସଜ୍ଜିତ ମେଢ଼ ପ୍ରସ୍ତୁତ କରିବା ସହ ସମାଜ ସଚେତନତାର ବାର୍ତ୍ତା ଦିଆଯାଉଛି । ଏଥିସହ ଭକ୍ତଙ୍କ ସୁରକ୍ଷା ପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଅପରାଧିଙ୍କ ଫଟୋ ପୋଷ୍ଟର କରି ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଲୋକଙ୍କୁ ସଚେତନ କରିବା ପାଇଁ ଲଗାଯାଇଛି ।