କନକ ବ୍ୟୁରୋ : ଆସନ୍ତା ଜାନୁଆରୀ ୧୩ ତାରିଖରେ ଆୟୁଷ୍ମାନ ଯୋଜନା ପାଇଁ କେନ୍ଦ୍ର ସରକାର ସହିତ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ସ୍ଵାକ୍ଷରିତ ହେବ । ଦିଲ୍ଲୀରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି ନଡ୍ଡାଙ୍କ ଉପସ୍ଥିତିରେ ହେବ ଏମ ଓ ୟୁ । ଏଥିପାଇଁ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବୁଝାମଣା ସ୍ଵାକ୍ଷରିତ ହେବା ପରେ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଯୋଜନା । ଗୋଟିଏ କାର୍ଡରେ ଉପଲବ୍ଧ ହେବ ସ୍ୱାସ୍ଥ୍ୟସେବା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଯୋଜନା । ପୁରୁଣା କାର୍ଡକୁ ହଟାଇ ଖୁବଶୀଘ୍ର ଦିଆଯିବ ନୂଆ କାର୍ଡ । ପୁରୁଣା କାର୍ଡର ପରିବର୍ତନ ହେବ ଲୋଗୋ । ଏକ କୋଟି ପରିବାର ଏବଂ ସାଢେ ତିନି କୋଟି ଲୋକ ଏହାର ଲାଭ ପାଇବେ । ଏଥିରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ରହିବ । ମିଳିଥିବା ସୂଚନା ଅନୁସାରେ, ୬୭ ଲକ୍ଷ ପରିବାରକୁ ରାଜ୍ୟ ତାର ନିଜସ୍ୱ ପାଣ୍ଠିରୁ ଓ ୩୩ ଲକ୍ଷ ପରିବାରର ବୀମା ଟଙ୍କା କେନ୍ଦ୍ର ସରକାର ବହନ କରିବେ। ଦେଶର ୩୦ ହଜାର ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ। ଯୋଜନାର କାର୍ୟ୍ୟକାରୀତା ନେଇ କେନ୍ଦ୍ରୀୟ ଟିମ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି ।