କନକ ବ୍ୟୁରୋ:  ରାତି ପାହିଲେ ପବିତ୍ର ରାମନବମୀ । ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସର ଆରାଧ୍ୟ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ । ରାମନବମୀକୁ ଧୁମଧାମରେ ପାଳନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ସମ୍ୱେଦନଶୀଳ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ରାମ ନବମୀ ପାଳନ ପାଇଁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଛି । 

Advertisment

ରାମ ନବମୀ ପାଇଁ ପୋଲିସ ଛାଉଣୀ ପାଲଟିଛି ସମ୍ୱଲପୁର ସହର । ସିସିଟିଭି ଓ ଡ୍ରୋନ୍ ସର୍ଭିଲାନ୍ସରେ ରହିଛି ସହରର ସମ୍ୱେଦନଶୀଳ ଅଞ୍ଚଳ। ଡଗ୍ ସ୍କ୍ୱାଡ୍, ବମ୍ ସ୍କ୍ୱାଡ୍ ଜରିଆରେ କଡ଼ାକଡ଼ି ଯାଞ୍ଚ ଚାଲିଛି । ସାମ୍ପ୍ରଦାୟିକ ଉତ୍ତେଜନା ପ୍ରବଣ ଅଞ୍ଚଳର ଘରେ, ଛାତ ଉପରେ, ଦୋକାନରେ ଛାନଭିନ ଚାଲିଛି । ସହର ପ୍ରତି ଛକରେ ଷ୍ଟାଣ୍ଡ ପୋଷ୍ଟ କରାଯିବା ସହ ବିଏସଏଫ, ରାପିଡ ଆକ୍ସନ ଫୋର୍ସ, ଓଡିଶା ପୋଲିସ ମୂତୟନ ହୋଇଛନ୍ତି। ଏପଟେ କଟକରେ ମଧ୍ୟ ରାମ ବନମୀ ପାଇଁ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଶୃଙ୍ଖଳାର ସହ ରାମ ନବମୀ ପାଳନ ଉପରେ ଗୁରୁତ୍ୱ ଦେଇଛି ପୋଲିସ ପ୍ରଶାସନ । 

ବାଲେଶ୍ଵରରେ ରାମନବମୀ ଶାନ୍ତି ଶୃଙ୍ଖଳାର ସହ ପାଳନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବାଲେଶ୍ୱର ସହରରେ ଲଗାତାର ଫ୍ଲାଗମାର୍ଚ୍ଚ କରାଯାଉଛି। ସୋରରେ ସୁରକ୍ଷା କଡ଼ାକଡ଼ି କରିବା ସହ ପୋଲିସ ଫୋର୍ସ ଫ୍ଲାଗମାର୍ଚ୍ଚ କରିଛନ୍ତି। ଅନ୍ୟପଟେ ଭଦ୍ରକ ପାଲଟିଛି ପୋଲିସ ଛାଉଣି। ସହରରେ ରାପିଡ଼ ଆକ୍ଲନ ଫୋର୍ସ, ବିଏସଏଫ ଯବାନ ମୁତୟନ ହୋଇଛନ୍ତି। ସାମ୍ପ୍ରଦାୟିକ ଉତ୍ତେଜନା ଦୃଷ୍ଟିରୁ ସମ୍ୱେଦନଶୀଳ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ, ପାଟ୍ରୋଲିଂ କଡ଼ାକଡ଼ି କରି କଡା ନଜର ରଖିଛି ପୋଲିସ ପ୍ରଶାସନ । 

ପୂର୍ବରୁ ହିନ୍ଦୁଙ୍କ ଧାର୍ମିକ ପର୍ବ ସମୟରେ ସାଂପ୍ରଦାୟିକ ଉତ୍ତେଜନା ବଢ଼ି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ନଜିର ଅଛି । ତେଣୁ ସାମ୍ପ୍ରଦାୟିକ ଉତ୍ତେଜନା ପ୍ରବଣ ଅଞ୍ଚଳରେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି ।