Photograph: (kanak news)
କନକ ବ୍ୟୁରୋ: ଆଉ ଦିନ କେଇଟା ପରେ ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ସେଥିପାଇଁ ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ । ଲଘୁଚାପ ଜନିତ ବର୍ଷା ଯୋଗୁଁ ସାଜସଜ୍ଜାରେ ବ୍ୟାଘାତ ହେଉଥିଲେ ବି ୬ ତାରିଖ ପୂର୍ବରୁ କାମ ସାରିବାକୁ ଲାଗିଛନ୍ତି ପୂଜା କମିଟି । ପ୍ରାଶାସନିକ ସ୍ତରରେ ମଧ୍ୟ ବିଭାଗୀୟ ଅଧିକାରୀମାନେ ମଣ୍ଡପରୁ ମଣ୍ଡପ ବୁଲି ସୁରକ୍ଷାର ଅନୁଧ୍ୟାନ କରୁଛନ୍ତି । ସରକାରୀ ମାନ୍ୟତା ପାଇଥିବା ପୂଜା ପ୍ରତିଷ୍ଠାନ ଓ ସହର ବାସିନ୍ଦା ଖୁବ୍ ଉତ୍ସାହିତ ଅଛନ୍ତି ।
ଅକ୍ଟୋବର ୭ରେ ଗଜଲକ୍ଷ୍ମୀ ପୂଜା । ଢେଙ୍କାନାଳର ୩୮ଟି ମଣ୍ଡପରେ ନିର୍ମାଣ ଚାଲିଛି ଧନଦାତ୍ରୀଙ୍କ ମୃଣ୍ମୟୀ ମୂର୍ତ୍ତି । ତୋରଣ, ଲାଇଟ ଗେଟ୍ ସାଜସଜ୍ଜା କାମ ଜୋରସୋରରେ ଆଗେଇ ଚାଲିଛି । କାରିଗରଙ୍କ ହାତକୁ ତର ନାହିଁ । ୬ ତାରିଖ ସୁଦ୍ଧା ସବୁ ପ୍ରସ୍ତୁତି ସାରିବାକୁ ରାତିଦିନ ଏକ କରିଦେଇଛନ୍ତି ମଣ୍ଡପ କର୍ମକର୍ତ୍ତା । ଚଳିତ ବର୍ଷ ମଉଡ଼ମଣି ମୀନା ବଜାର, ଗଣେଶ ବଜାର, କୈବଲ୍ୟ ବଜାର, ଲକ୍ଷ୍ମୀ ବଜାର, ଦେଉଳ ସାହି, ଗୁଡ଼ିଆ ନାଳି, ମଣ୍ଡପ ଗୁଡ଼ିକ ଚାନ୍ଦି ମେଢ଼, ସ୍ୱର୍ଣ୍ଣ ମୁକୁଟରେ ମାଆଙ୍କୁ ସଜ୍ଜିତ କରିବା ଯୋଜନା କରିଛନ୍ତି । ସେହିଭଳି କାଞ୍ଚନ ବଜାର ୭୫ ବର୍ଷ ହୀରକ ଜୟନ୍ତୀ ପାଳନ କରୁଛି ।
ସୁରକ୍ଷିତ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରାଶାସନିକ ସ୍ତରରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ୨୩୫ଟି ସିସିଟିଭି ଜରିଆରେ ବଜାର ଉପରେ କଡ଼ା ନଜର ରଖିବ ପୁଲିସ। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଡ୍ରୋନ୍ ଉଡ଼ିବ। ସେହିଭଳି ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ଜିଲ୍ଲା ଅଗ୍ନିଶମ ଅଧିକାରୀ। ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପଲ୍ଲିଶ୍ରୀ ମେଳା ସହ ୩ଟି ମେଳା ପଡ଼ିଆର ଆୟୋଜନ କରାଯାଇଛି । ଚଳିତ ବର୍ଷ ରାଜ୍ୟ ସରକାର ସ୍ବୀକୃତି ପ୍ରଦାନ ପୂର୍ବକ ସବୁ ମଣ୍ଡପକୁ ପଚାଶ ହଜାର ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି।
Follow Us