କନକ ବ୍ୟୁରୋ: ଭୁବନେଶ୍ୱର ଜନତା ମୈଦାନରେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି । ପ୍ରଥମଥର ପାଇଁ ଓଡ଼ିଶାରେ ହେବାକୁଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ ବିଶାଳ ଓ ଭବ୍ୟ କରିବାକୁ ଜୋରଦାର ଆୟୋଜନ କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏଥିପାଇଁ ଜନତା ମୈଦାନରେ ଛିଡ଼ା ହୋଇଛି ବଡ଼ବଡ଼ ହ୍ୟାଙ୍ଗର । ଯାହା ଭାରତୀୟଙ୍କ ବିଦେଶ ଯାତ୍ରାର ଇତିହାସକୁ ବର୍ଣ୍ଣନା କରୁଛି । କେବେଠୁ ଭାରତୀୟମାନେ ବିଦେଶକୁ ଯାତ୍ରା କଲେ । ଶ୍ରମିକ ଭାବେ ବାହାରକୁ ଯାଇ, କିଭଳି ରାଜନୀତିଠୁ ଆରମ୍ଭ କରି ଅର୍ଥନୀତି ପ୍ରତିଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି ତାହାକୁ ଦର୍ଶାଉଛି ହ୍ୟାଙ୍ଗର । ସେହିପରି ଏଲ୍ଇଡି ମାଧ୍ୟମରେ ଓଡ଼ିଶାର ଐତିହ୍ୟ, ପରମ୍ପରାକୁ ପ୍ରଦର୍ଶନ କରି ବିଶ୍ୱସ୍ତରରେ ଏହାର ପ୍ରଚାର ପ୍ରସାର କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସାଢେ ୩ ହଜାରରୁ ଅଧିକ ପ୍ରବାସୀ ପଞ୍ଜୀକରଣ କରିଥିବା ସୂଚନା ମିଲିଛି । ଏପରିକି ଓଡ଼ିଆଙ୍କ ଘରେ ରହିବେ ପ୍ରବାସୀ ଭାରତୀୟ ଅତିଥି । ଅର୍ଥାତ ହୋମ-ଷ୍ଟେ ପାଇଁ ପ୍ରାୟ ୨୮୦ଟି ରେଜିଷ୍ଟ୍ରେସନ କରିଛି ପର୍ୟ୍ୟଟନ ବିଭାଗ । ପେଇଂ ଗେଷ୍ଟ ଭଳି ପ୍ରବାସୀମାନେ, ସାଧାରଣ ଓଡ଼ିଆଙ୍କ ଘରେ ରହିବା ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ମିଡିଲମ୍ୟାନ ଭଳି କାମ କରିବ ବିଭାଗ । ସେପଟେ ଭୁବନେଶ୍ୱର ବିମାନବନ୍ଦରରେ ପ୍ରବାସୀମାନଙ୍କୁ ସ୍ୱାଗତ କରିବ ବିଜେପି । ଏଥିପାଇଁ ସାଂସଦ, ବିଧାୟକ ଓ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ବେଜେପି ରାଜ୍ୟ ସଭାପତି । ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିଥିବାବେଳେ ତାଙ୍କୁ ମଧ୍ୟ ଭବ୍ୟ ସ୍ୱାଗତ କରାଯାଇଛି । ୮ ତାରିଖରେ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ପ୍ରବାସୀମାନେ ୩୧ଟି ପର୍ୟ୍ୟଟନସ୍ଥଳୀ ବୁଲିବାକୁ ଯିବେ । ତେଣୁ ଐତିହ୍ୟ, ପର୍ଯ୍ୟଟନସ୍ଥଳୀ, ସହର ଓ ଗାଁ ବୁଲିବାବେଳେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରି ଅନନ୍ୟ ଅନୁଭୂତି ଦେବା ପାଇଁ ଅପିଲ କରିଛନ୍ତି ମନମୋହନ ସାମଲ । ୮ ତାରିଖରେ ଏକ ଘରୋଇ ହୋଟେଲରେ ଇନଭେଷ୍ଟ ଓଡ଼ିଶା ଶୀର୍ଷକରେ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ହେବ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବୈଦେଶିକ ମନ୍ତ୍ରୀଙ୍କ ସହ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବା କାର୍ୟ୍ୟକ୍ରମ ରହିଛି । ୧୦ ତାରିଖରେ ଶେଷ ହେବ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ।