କନକ ବ୍ୟୁରୋ: ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତ ହେଲାଣି ମଣ୍ଠପ । ବନ୍ଧା ହେଲାଣି ତୋରଣ । ଦେବୀ ଦଶଭୂଜାଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଜୀବନ୍ତ କରିବାକୁ ଲାଗିଛନ୍ତି କାରିଗର । ଏଣେ ଶକ୍ତିପୀଠରେ ଚାଲିଛି ସ୍ବତନ୍ତ୍ର ରୀତିନୀତି । ମୂଳା ଅଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଷୋଡଶ ପୂଜାର ଷଷ୍ଠ ଦିନରେ ମନ୍ତ୍ରପାଠରେ ପ୍ରକମ୍ପିତ ଶକ୍ତିପୀଠ ।
ଷୋଡଶ ପୂଜା ପାଇଁ ରାଜ୍ୟର ବିଭିନ୍ନ ଶକ୍ତିପୀଠ ଚଳଚଞ୍ଚଳ । କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କ ପୀଠରେ ଚାଲିଛି ଷୋଡଶଦୀନାତ୍ମକ ଷୋଡଶ ଉପଚାର ପୂଜା । ଏହି କ୍ରମରେ ରବିବାର ମାଆଙ୍କ ତ୍ରୀପୁରାଭୈରବୀ ବେଶ କରାଯାଇଛି । ସନ୍ଧ୍ୟାରେ ମାଆଙ୍କ ଆଳତୀ କରାଯାଇ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହେବା ପରେ ସ୍ୱତନ୍ତ୍ର ତ୍ରୀପୁରାଭୈରବୀ ବେଶ କରାଯାଇଛି । ଏବେଠୁ ପ୍ରତିଦିନ ରାତିରେ ମାଆଙ୍କ ପୀଠରେ ଚଣ୍ଡୀପାଠ କରାଯିବ । ମାଆଙ୍କ ଏହି ଦୁଲର୍ଭ ବେଶ ଦର୍ଶନ କରିବାକୁ ମନ୍ଦିରରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି ।
କଟକ ଭଳି ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ଷଷ୍ଠ ଦିବସୀୟ ଷୋଡଶ ଉପଚାର ପୂଜା ଚାଲିଛି । ସକାଳୁ ମଙ୍ଗଳ ଆଳତୀ, ମାର୍ଜନା, ଅବକାଶ, ବାଳଭୋଗ ଓ ପରେ ମା ଶାରଳା ଦୁର୍ଲଭ ବେଶରେ ଦର୍ଶନ ଦେଇଛନ୍ତି । ଭକ୍ତ ଓ ମାନସିକଧାରୀଙ୍କ ବିଶ୍ୱାସ ରହିଛି ଷୋଡଶ ଉପଚାର ପୂଜା ସମୟରେ ମା ଶାରଳାଙ୍କ ଦର୍ଶନ କରି ମାନସିକ କଲେ ତାହା ପୂରଣ ହୋଇଥାଏ । ଯେଉଁଥି ପାଇଁ ମାନସିକଧାରୀମାନେ ମନ୍ଦିର ପରିସରରେ ଥିବା ବଉଳ ବୃକ୍ଷରେ ସଂଖା ଓ ଗୁଆ ବାନ୍ଧି ମାନସିକ କରିଥାନ୍ତି ।
ଷୋଡଶ ପୂଜା ପାଇଁ ଭକ୍ତ କାହିଁ କେତେ ଦୂରରୁ ବିଭିନ୍ନ ଶକ୍ତିପୀଠକୁ ଧାଇଁ ଆସିଥାନ୍ତି । ଏହି ସମୟରେ ଦେବୀ ପୀଠରେ ସ୍ବତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ଚାଲିଥାଏ । ମାଆଙ୍କ ଦର୍ଶନ କଲେ କୋଟି ପୂଣ୍ୟର ଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି ।