କନକ ବ୍ୟୁରୋ: ଲୋକପ୍ରିୟ ଟେଲି ଧାରାବାହିକ ‘ରାମାୟଣ’ ପ୍ରସ୍ତୁତ କରିଥିବା ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗରଙ୍କ ପରଲୋକ । ୮୧ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ତେବେ ଗତ କିଛି ସମୟ ହେଲା ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା । ଆଉ ଆଜି ସକାଳ ୧୦ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ସୂଚନା ମିଳିଛି ।

Advertisment

ପ୍ରେମ ସାଗରଙ୍କ ଦେହାନ୍ତଙ୍କ ରାମାୟଣ ସିରିଏଲର ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରିଥିବା ସୁନୀଲ ଲହରୀ ଦୁଃଖ ପ୍ରକାଶ କରିଛନ୍ତି । ସେ ପ୍ରେମ ସାଗରଙ୍କ ଫଟୋ ସେୟାର କରିବା ସହିତ ଏହାକୁ ଦୁଃଖଦ ବୋଲି କହିଛନ୍ତି । ସେ ଲେଖିଛନ୍ତି ଯେ, ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗରଙ୍କ ପରଲୋକ ଘଟିଛି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । ତାଙ୍କ ପରିବାର ଲୋକଙ୍କୁ ଏ ଦୁଃଖର ସମୟରେ ଶକ୍ତି ଦିଅନ୍ତୁ ।

ଜାଣିରଖିବା ଉଚିତ ଯେ, ୧୯୬୮ ମସିହାରେ ଏଫଟିଆଇଆଇରୁ ପ୍ରେମ ସାଗର ଗ୍ରାଜୁଏଟ୍ ହୋଇଥିଲେ । ଏହାପରେ ସେ ଅଲିଫ୍ ଲୈଲା, ଚରସ ଏବଂ ଲଲକାର ଭଳି ଫିଲ୍ମ ତିଆରି କରିଥିଲେ । ଏହାପରେ ସେ ଅନେକ ଟିଭି ସୋ’ ମଧ୍ୟ ପ୍ରସ୍ତୁତ କରିଥିଲେ । ଖାସ୍ କରି ୧୯୮୫ ମସିହାରେ ଆସିଥିବା ଲୋକପ୍ରିୟ ଟେଲି ଧାରାବାହିକ ‘ବିକ୍ରମ ଔର ବେତାଳ’ ତାଙ୍କର ହିଁ ସୃଷ୍ଟି । ଏହି ସୋ’ରେ ସେ ନିର୍ଦ୍ଦେଶନା ଦେବା ସହିତ ଏହାର ପ୍ରଯୋଜନା ମଧ୍ୟ କରିଥିଲେ ।