କନକ ବ୍ୟୁରୋ; ଲେବର ରୁମରେ ପ୍ରସୂତିଙ୍କ ମୃତ୍ୟୁ, ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାପା ଉତ୍ତେଜନା । ଭୁଲ୍‌ ଚିକିତ୍ସା ଯୋଗୁ ମୃତ୍ୟୁ ହୋଇଥିବା ଅଭିଯୋଗ। ଘଟଣା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ମୃତକଙ୍କ ପରିବାର ଲୋକ ମେଡ଼ିକାଲ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବିମାନ ବନ୍ଦର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା‌ସୁଝା କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଝାରସୁଗୁଡ଼ା ଲଇକେରା ଭାତଲାଇଡା ଗାଁର ସୁଧାଂଶୁ ଭୋଇଙ୍କ ସ୍ତ୍ରୀ ଗୋମତି ସାହୁଙ୍କ ପ୍ରସବ ଯନ୍ତ୍ରଣା ପରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । 

Advertisment

ଗୁରୁବାର ରାତି ପ୍ରାୟ ୯ଟାରେ ତାଙ୍କୁ ଲେବର ରୁମକୁ ନିଆଯିବା ସହ ଅସ୍ତ୍ରୋପଚାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପରେ ଗୋମତି ଆଉ ଉଠିନଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆନାସ୍ଥେସିଆ ଇଞ୍ଜେକ୍ସନରେ ଭାଗମାପ ଠିକ୍‌ ନରହିବା କାରଣରୁ ଗୋମତୀଙ୍କ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଛି। କିନ୍ତୁ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଏମଏଲସିରେ ଦର୍ଶାଇଛନ୍ତି । ମେଡ଼ିକାଲ କର୍ମଚାରୀଙ୍କ ଭୁଲ ଯୋଗୁ ପ୍ରସୂତିଙ୍କର ମୃତ୍ୟୁ ଅଭିଯୋଗ କରି ପରିବାର ଲୋକ ଅଭିଯୋଗ କରିଛନ୍ତି ।