କନକ ବ୍ୟୁରୋ: ପୁଣି ଜନନୀ ଯନ୍ତ୍ରଣାର ଚିତ୍ର । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ଆଜିବି ପାଦ ଚଲା ରାସ୍ତା ରହିଛି। ଏହା ଫଳରେ ଗୁରୁତର ରୋଗୀ କିମ୍ବା ଗର୍ଭବତୀଙ୍କୁ ଖଟିଆରେ ବୋହିନେଵା ଦୃଶ୍ୟ ଦେଖିବାକୁ ମିଳୁଛି। ଗୁଣ୍ଡୁରି ପଞ୍ଚାୟତ ଗଙ୍ଗପେନୁ ଗାଁର ଗର୍ଭବତୀ ମହିଳାକୁ ଖଟିଆରେ ବୋହି ହସ୍ପିଟାଲ ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଗାଁରେ ରାସ୍ତା ନଥିବା ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଯଶୋଦା ମାଝୀ ନାମକ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସିପାରିନାହିଁ। ଫଳରେ ବାଧ୍ୟ ହୋଇ ପରିବାର ଓ ଗାଁଲୋକ ପାଖାପାଖି ୩ କିଲୋମିଟର ରାସ୍ତା ସରଲାଞ୍ଜି ଗାଁ ପଯ୍ୟନ୍ତ ତାଙ୍କୁ ଖଟିଆରେ ବୋହି ନେଇ ଆମ୍ବୁଲାନ୍ସରେ ଛାଡିଛନ୍ତି। ଏହାପରେ ଯଶୋଦାଙ୍କୁ ଭବାନୀପାଟଣା ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରାଯାଇଛି। ଗାଁକୁ ଭଲ ରାସ୍ତା ନିର୍ମାଣ ନେଇ ବାରମ୍ବାର ଗ୍ରାମବାସୀମାନେ ଅଭିଯୋଗ କରିଆସୁଛନ୍ତି। ହେଲେ ପ୍ରଶାସନ ସବୁଜାଣି ମଧ୍ୟ ନିଦାବିଷ୍ଣୁ ସାଜିଛି ବୋଲି ଅଭିଯୋଗ ହୋଇଛି।