କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଗସ୍ତ କରି ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଶତପ୍ରତିଶତ ବଣ୍ଡା ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ବେଳେ ଆବାସ ଯୋଜନାରେ ବଣ୍ଡା ଜନଜାତିଙ୍କ ଲାଗି ୫୦ ହଜାର ଟଙ୍କାର ଟପ୍ଅପ୍, ମାଲକାନଗିରି ଜିଲ୍ଲାରେ ୨ଟି ଇକୋ ରିଟ୍ରିଟ୍, ସମଗ୍ର ଜିଲ୍ଲାରୁ ୬୦ ହଜାର ଲକ୍ଷପତି ଦିଦି, ସବୁ ଅଙ୍ଗନୱାଡି ଲାଗି ପକ୍କା ଘର ଏଭଳି ଅନେକ ଘୋଷଣା କରିଛନ୍ତି ପ୍ରଭାତୀ ପରିଡା ।
ମାଲକାନଗିରି ପାଇଁ ସରକାରଙ୍କ ଭେଟି
ବିଭିନ୍ନ ପ୍ରକଳ୍ପର ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଘୋଷଣା କରିଛନ୍ତି । ଶୁକ୍ରବାର ପଛୁଆ ଜିଲ୍ଲା ମାଲକାନଗିରିର ଦୁର୍ଗମ ଅଞ୍ଚଳ ବଣ୍ଡାଘାଟି ଯାଇଥିଲେ ପ୍ରଭାତୀ ପରିଡ଼ା। ଝିପିଝିପି ବର୍ଷାରେ ସଡ଼କ ପଥରେ ଯାଇ ବଣ୍ଡାଘାଟିର ସୀତାକୁଣ୍ଡା, ଅଙ୍ଗନବାଡି କେନ୍ଦ୍ର ଓ ପଡ଼ା ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଥିଲେ। ଆଦିମ ବଣ୍ଡା ଜନଜାତିଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଜିଲ୍ଲା ହେଡକ୍ବାର୍ଟରରେ ରାତି ବିତାଇଥିଲେ ଉପମୁଖ୍ୟମନ୍ତ୍ରୀ। ସରକାରଙ୍କ ଫୋକସରେ ବଣ୍ଡା ଜନଜାତି । ବର୍ତ୍ତମାନ ସୁଦ୍ଧା କାହିଁକି
୨ ହଜାର ୯୦୦ ମହିଳା ସୁଭଦ୍ରା ଯୋଜନାର ଟଙ୍କା ପାଇନାହାନ୍ତି ତାର ତଦାରଖ କରିଛନ୍ତି । ସବୁ ବଣ୍ଡା ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି କହିଛନ୍ତି ପ୍ରଭାତୀ।
ମାଲକାନଗିରିରେ ଘୋଷଣାର ପାହାଡ଼
ଜିଲ୍ଲାରେ ହେବ ଶହ ଶହ କୋଟିର ପ୍ରକଳ୍ପ
ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ବଣ୍ଡାଘାଟିରେ ପ୍ରତି ଆବାସ ହିତାଧିକାରୀଙ୍କୁ ଅତିରିକ୍ତ ୫୦ ହଜାର ଟଙ୍କା ଦିଆଯିବ। ପ୍ରତି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ହେବ ପକ୍କା ଘର । ଜିଲ୍ଲାରୁ ମୋଟ ୬୦ ହଜାର ଲକ୍ଷପତି ଦିଦି ବନାଇବା ଲକ୍ଷ୍ୟ ରଖାଯାଇଛି । ପର୍ଯ୍ୟଟନ ଶିଳ୍ପରେ ମହିଳାଙ୍କୁ ମିଳିବ ଅଗ୍ରାଧିକାର। ସତିଗୁଡା ଓ ଚିତ୍ରକୋଣ୍ଡାରେ ୨ଟି ନୂଆ ଇକୋ ରିଟ୍ରିଟ୍ ସେଣ୍ଟର କରାଯିବ । ବଣ୍ଡା ମହିଳାଙ୍କ ପାଇଁ ରାଜଧାନୀରେ ମିଶନ ଶକ୍ତି ଗୃହ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମାଲକାନଗିରି ଗସ୍ତ କରି ଶହ ଶହ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିବା ବେଳେ ଏବେ କାର୍ଯ୍ୟକାରିତାକୁ ଅପେକ୍ଷା ।