କନକ ବ୍ୟୁରୋ: ଗତକାଲି(ବୁଧବାର) ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରେ ବିଜେଡି ସୁପ୍ରିମୋ ଚାଞ୍ଚଲ୍ୟକର ମନ୍ତବ୍ୟ ଦେବା ପରେ ଆଜି ପ୍ରେସମିଟ କରି ନବୀନ ଓ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । କହିଛନ୍ତି କାଲିଯାଏଁ ଖୋଦ୍ ନବୀନ ଏବଂ ଦଳର ନମ୍ବର ଟୁ ମୁଖିଆ ସାଜିଥିବା ବ୍ୟକ୍ତି ମୋତେ ପ୍ରଶଂସା କରୁଥିବାବେଳେ ହଠାତ୍ ମୋତେ ଦଳରୁ କାଢିଦେଲେ । ମୁଁ ଦଳରେ ଆଉ ନାହିଁ ବୋଲି ଭାରି ସହଜରେ କହିଦେଲେ । ପ୍ରକୃତ କଥା ହେଲା ଦଳର ଭିତିରି ମୁଖିଆ ସାଜିଥିବା ବ୍ୟକ୍ତି ଜଣକୁ ନିଜକୁ ବଞ୍ଚାଇବାକୁ ଏଭଳି ନବୀନ ପଟ୍ଟନାୟକୁ ଢାଲ ସଜାଇ ଏଭଳି ଷଡଯନ୍ତ୍ର ରଚିଛନ୍ତି ବୋଲି କହିଛନ୍ତି ପ୍ରଭାତ ।

Advertisment

ପ୍ରଭାତ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ମୋ ବିରୋଧରେ ଯାହା ଚିଟଫଣ୍ଡ ଦୁର୍ନୀତି ମାମଲା ଥିଲା, ତାହା ହାଇକୋର୍ଟ ଏବେ ବି  ବିଚାରାଧିନ ରହିଛି । ଏଯାଏଁ ଏନେଇ କିଛି ବି ନିଷ୍ପତ୍ତି ଶୁଣାଇନାହାଁନ୍ତି କୋର୍ଟ । ମୁଁ ଦୋଷୀ ବୋଲି କୌଣସି ନିଷ୍ପତ୍ତି ହୋଇନାହିଁ । ଫଳରେ ବିଜେଡି ୨୦୧୭ରେ ମୋ ଉପରେ ଲାଗିଥିବା ସସପେନ୍ସସନକୁ ପ୍ରତ୍ୟାହାର କରିଥିଲା । ସେବେଠୋରୁ ୨୦୨୪ ନିର୍ବାଚନ ଭିତରେ ମୁଁ ବାଙ୍କୀ ହେଉ କି ପୂରା କଟକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ହୋଇଥିବା ସଭା ସମିତିରେ ଉପସ୍ଥିତ ଥିଲି । ମୋର ସାମର୍ଥ୍ୟ ମୁତାବକ ଦଳ ପାଇଁ କାମ କରିଛି । ୨୦୨୪ ନିର୍ବାଚନ ବେଳେ ମୋର କାମକୁ ନେଇ ଖୋଦ୍ ଦଳର ଦୁଇ ନମ୍ବର ମୁଖିଆ ମୋତେ ମଞ୍ଚ ଉପରେ ପ୍ରଶଂସା କରିଥିଲେ । ଏହାବାଦ୍ ଦଳର ରାଜ୍ୟ ସଭାପତି ମଧ୍ୟ ମୋତେ ଲୋକଙ୍କ ଆଗରେ ପ୍ରଶଂସା କରିଛନ୍ତି । ହେଲେ କାଲି ହଠାତ୍ ମୋତେ ଦଳରୁ କାଢ଼ିଦେଲେ ? ମୁଁ ଦଳରେ ନାହିଁ ବୋଲି ଜାତୀୟ ଗଣମାଧ୍ୟମରେ କହିଦେଲେ । 

ନିଜକୁ ଦୁଇ ନମ୍ବର ମୁଖିଆ କହୁଥିବା ବ୍ୟକ୍ତିଙ୍କ ସ୍ଥିତି ଦଳରେ ଟଳମଳ । ଏହାଛଡ଼ା ରାଜ୍ୟସଭାରେ ସସ୍ମିତ ପାତ୍ର କାହା ପ୍ରରୋଚନାରେ ୱାକଫକୁ ସମର୍ଥନ କଲେ ସେକଥା ଦଳର ସବୁ ନେତା ଜାଣିଥିଲେ ବି ପ୍ରକୃତ ସତ ଲୁଚାଇବାକୁ ସେ ଚକ୍ରାନ୍ତ କରିଛନ୍ତି । ମୋତେ ଲୋକଙ୍କ ଆଗରେ ଦୋଷୀ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛନ୍ତି । ତାଛଡା ଗଣମାଧ୍ୟମରେ ମୁଁ ଯାହା କହିଛି ବୋଲି ଭାଇରାଲ ହେଉଛି ମୁଁ ତ କାହାକୁ କିଛି କହିନାହିଁ । କିଛି ବିଚାର ନକରି ମୋ ବିରୋଧରେ ଏଭଳି ମହାମିଥ୍ୟା କହିବା ଅନ୍ତତଃ ନବୀନ ପଟ୍ଟନାୟକଙ୍କ ଭଳି ଅଭିଜ୍ଞ ନେତାଙ୍କୁ ଆଦୌ ଶୋଭା ପାଏନି ବୋଲି କହିଛନ୍ତି ପ୍ରଭାତ ।