କନକ ବ୍ୟୁରୋ: ବରିଷ୍ଠ ବିଜେଡି ନେତା ପ୍ରଭାତ ବିଶ୍ୱାଳଙ୍କ ବିସ୍ଫୋରକ ବୟାନ। କହିଲେ ଦଳରେ ଅଛନ୍ତି କିଛି ରାବଣ ଓ କଂସ। କଟକର ଏକ ଶୋକସଭାରେ ସାମିଲ ଅବସରରେ ଏଭଳି କହି, ଦଳୀୟ ନେତାଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଭାତ ବିଶ୍ବାଳ। ପୌରାଣିକ ଚରିତ୍ରକୁ ଉଦାହରଣ ଦେଇ ସେ ବୁଝାଇଛନ୍ତି, ଦଳରେ ଖଳ ପ୍ରକୃତିର ଲୋକ ଅଛନ୍ତି । ଦଳରେ ଏବେ ଗୋଡ଼ଟଣା ଚାଲିଛି । ଚିଟଫଣ୍ଡ ମାମଲାରେ ନିଜ ଦଳର ଲୋକ ତାଙ୍କୁ ଛନ୍ଦିଛନ୍ତି । ଏହାର ପ୍ରତିବାଦ ସ୍ୱରୂପ ନାଲି ପୋଷାକ ପିନ୍ଧୁଥିବା କହିଛନ୍ତି ପ୍ରଭାତ ବିଶ୍ୱାଳ।
ପ୍ରଭାତ ବିଶ୍ୱାଳଙ୍କ ବୟାନ ବିଜେଡିର ଅନ୍ଦର ମହଲର କଥାକୁ ପଦାରେ ପକାଇଛି । ତେବେ ପ୍ରଥମ ଥର ପାଇଁ ସେ ବିଜେଡିକୁ ଟାର୍ଗେଟ୍ କରିନାହାନ୍ତି । ପୂର୍ବରୁ ଗତ ଜୁଲାଇ ପହିଲାରେ ବବି ଦାସ ଓ ପାଣ୍ଡିଆନଙ୍କ ବିରୋଧରେ ବର୍ଷିଥିଲେ । କହିଥିଲେ ଫୋନରେ ସବୁ ରେକର୍ଡ ଅଛି, ଖୋଲିଲେ ସମସ୍ତଙ୍କ ମୁଖା ଖୋଲିଯିବ । ଚିଟଫଣ୍ଡ ଟଙ୍କା କିଏ ଖାଇ କାହା ମୁଣ୍ଡରେ ଅଠା ବୋଲିଲେ ।
ଅନ୍ୟପଟେ ପ୍ରଭାତ ବିଶ୍ୱାଳଙ୍କ ବିସ୍ଫୋରକ ବୟାନକୁ ନେଇ ବିଜେଡି ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛି । ତେବେ ବାରମ୍ୱାର ଦଳୀୟ ନେତାଙ୍କୁ ପ୍ରଭାତ ବିଶ୍ୱାଳ ଟାର୍ଗେଟ୍ କରିବା ସ୍ପଷ୍ଟ କରୁଛି ବିଜେଡିରେ ଏବେ ସବୁ ଠିକଠାକ ନାହିଁ।