କନକ ବ୍ୟୁରୋ: ବିଶ୍ବ ଦେଖିଲା ପ୍ରବାସୀ ଭାରତୀୟଙ୍କ ଏକତା । ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ । ଏମାନଙ୍କ ଉପସ୍ଥିତିରେ ଭୁବନେଶ୍ବରରେ ମହାଆଡ଼ମ୍ବରରେ ସରିଛି ତିନି ଦିନ ଧରି ଚାଲିଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଉଦଯାପନୀ ଦିନରେ ବିଭିନ୍ନ ଦେଶରେ ରହୁଥିବା ପ୍ରଭାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେହିପରି ଏଭଳି ଐତିହାସିକ ଦିନ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।  

Advertisment

ଭୁବନେଶ୍ୱରରେ ତିନି ଦିନ ଧରି ଚାଲିଥିବା ପ୍ରବାସୀ ଭାରତୀୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି । କାର୍ୟ୍ୟକ୍ରମର ଶେଷ ଦିନରେ ସାମିଲ ହୋଇଥିଲେ ରାଷ୍ଟ୍ରପ୍ରତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି । ସମ୍ମିଳନୀକୁ ସମ୍ୱୋଧିତ କରି ରାଷ୍ଟ୍ରପତି କହିଛନ୍ତି ସାରା ବିଶ୍ୱରେ ଭାରତର ଟେକ ରଖିଛନ୍ତି ପ୍ରବାସୀ ଭାରତୀୟ । ସେପଟେ ଏହି ସମ୍ମିଳନୀ ଜରିଆରେ ଓଡ଼ିଶା, ସାରା ବିଶ୍ୱରେ ପହଞ୍ଚି ପାରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।  

ପ୍ରବାସୀ ଭାରତୀୟମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପ୍ରତିଷ୍ଠା ପାଇପାରିଛନ୍ତି । ବିଶ୍ୱ ଦରବାରରେ ଭାରତର ନାମକୁ ଗୌରାବାନ୍ୱିତ କରିଥିବା ୨୭ ଜଣ ପ୍ରବାସୀ ଭାରତୀୟଙ୍କୁ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି । ବିକାଶ ଆଡ଼କୁ ଅଗ୍ରସର ହେଉଛି ଭାରତ । ପ୍ରବାସୀଙ୍କ ସଫଳତା ଦେଶ ପାଇଁ ଗୌରବର ବିଷୟ । ବିଭିନ୍ନ କ୍ଷେତ୍ରରେ ସଫଳତାର ଛାପ ଛାଡ଼ିଥିବା ଭାରତୀୟଙ୍କୁ ସମ୍ମାନିତ କରିବା ତାଙ୍କ ସୌଭାଗ୍ୟ ବୋଲି କହିଛନ୍ତି ରାଷ୍ଟ୍ରପତି । ଏନଆରଆଇଙ୍କ ପାଇଁ ଭାରତ ସରକାର ଅନେକ ଯୋଜନା କରିଛନ୍ତି। ଭାରତ ତଥା ଓଡ଼ିଶାର ବିକାଶରେ ସହଯୋଗୀ ହେବାକୁ ସମସ୍ତ ପ୍ରବାସୀଙ୍କୁ ଅପିଲ କରିଛନ୍ତି ରାଷ୍ଟ୍ରପତି । 

ପ୍ରବାସୀ ଭାରତୀୟ ସମ୍ମିଳନୀ ଓଡ଼ିଶାକୁ ବିଶ୍ୱ ଦରବାରରେ ଏକ ନୂଆ ପରିଚୟ ଦେଇଛି। ସାଂସ୍କୃତିକ, ଐତିହ୍ୟ, ପର୍ୟ୍ୟଟନ ସମେତ ବ୍ୟବସାୟିକ ସମ୍ଭାବନା ଓ ସୁଯୋଗର ବାର୍ତା ପହଞ୍ଚାଇବା ପାଇଁ ପ୍ରବାସୀ ଭାରତୀୟମାନେ ପ୍ରମୁଖ ଭୂମିକା ନେବେ ବୋଲି ଆଶା କରାଯାଉଛି ।