କନକ ବ୍ୟୁରୋ : ବାଲେଶ୍ୱର ପହଞ୍ଚିଛି ଓଡ଼ିଆ ପୁଅ ପ୍ରଶାନ୍ତ ଶତପଥୀଙ୍କ ମରଶରୀର। ବାଲେଶ୍ୱର ସଦର ବ୍ଲକ ଇଶାଣୀ ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକର ଲହରି ଖେଳିଯାଇଛି। ଭୁବନେଶ୍ୱରରୁ ଆମ୍ବୁଲାନ୍ସ ଯୋଗେ ଇଶାଣୀ ଗାଁରେ ପହଞ୍ଚିଛି ମରଶରୀର । ଖୋଳକୀର୍ତ୍ତନ ସହ ବିରାଟ ପଟୁଆରରେ ଅଞ୍ଚଳର ଲୋକ ପାର୍ଥିବ ଶରୀରକୁ ଗାଁରେ ଶୋଭାଯାତ୍ରା କରି ଘରକୁ ନିଆଯାଉଛି । ବାସଭବନରେ ଜ୍ଞାତି ପରିଜନ ଓ ସଂପର୍କୀୟଙ୍କ ଶେଷ ଦର୍ଶନ କରିବା ପାଇଁ କିଛି ସମୟ ରଖାଯିବ । ଏହାପରେ ଗାଁ ଶ୍ମଶାନରେ ପ୍ରଶାନ୍ତ ଶତପଥୀଙ୍କ ଅନ୍ତିମ ସଂସ୍କାର କରାଯିବ । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ନେତୃବୃନ୍ଦ ଓ ଅଧିକାରୀ ସାମିଲ ହେବେ ବୋଲି ସୂଚନା ମିଳିଛି ।
ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଓଡିଆ ପୁଅ ପ୍ରଶାନ୍ତ ଶତପଥୀଙ୍କ ମର ଶରୀର ବୁଧବାର ରାତି ୧୨.୩୦ ମିନିଟ୍ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଥିଲା । ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜ ମଧ୍ୟ ତାଙ୍କ ସହ ଫେରିଛନ୍ତି । ବିମାନବନ୍ଦରରେ ମରଶରୀର ପହଞ୍ଚିବା ପରେ ପତ୍ନୀ କୋହ ସହିନପାରି ମୂର୍ଚ୍ଛା ଯାଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ବିମାନ ବନ୍ଦରରେ ପ୍ରଶାନ୍ତ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପିସିସି ସଭାପତି ଭକ୍ତ ଚରଣ ଦାସ, ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ପୋଲିସ ଡିଜି ୱାଇବି ଖୁରାନିଆ ବିମାନବନ୍ଦର ଠାରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାପରେ ବିମାନ ବନ୍ଦରରୁ ଏକ ଆମ୍ୱୁଲାନ୍ସ ଯୋଗେ ମରଶରୀର ବାଲେଶ୍ୱର ସଦର ବ୍ଲକ ଇଶାଣୀ ଗାଁ ଅଭିମୁଖେ ଯାତ୍ରା କରିଥିଲା । ଗତକାଲି ସ୍ୱତନ୍ତ୍ର ବିମାନରେ ଦିନ ୨. ୩୫ ମିନିଟରେ ପ୍ରଶାନ୍ତଙ୍କ ପାର୍ଥିବ ଶରୀର ଶ୍ରୀନଗରରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲା । ନୂଆଦିଲ୍ଲୀରୁ ପୁଣି ଅନ୍ୟ ଏକ ବିମାନରେ ପାର୍ଥିବ ଶରୀର ଭୁବନେଶ୍ୱର ଆସିଛି। ମରଶରୀର ସହ ଶ୍ରୀନଗର ଯାଇଥିବା ପ୍ରଶାନ୍ତଙ୍କ ସାନ ଭାଇ ବସନ୍ତ ଶତପଥୀ, ଦିଲ୍ଲୀରେ ରହୁଥିବା ଭଉଣୀ ଶ୍ରାବଣୀ ଶତପଥୀ ଓ ଭିଣୋଇ ମନୋରଞ୍ଜନ ମହାନ୍ତି ଓଡ଼ିଶା ଆସିଛନ୍ତି ।