କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୬ ମାସ ବାକି ଅଛି । ସବୁ ରାଜନୈତିକ ଦଳ ଏବେଠାରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଟାଣୁଆ ନେତାମାନେ ନିଜ ନିଜର ଦଳ ପାଇଁ ରଣନୀତି ପ୍ରସ୍ତୁତ କଲେଣି । ଏହି ଦୌଡ ଭିତରେ ଅଣ୍ଟା ଭିଡିଲେଣି ନିର୍ବାଚନ ରଣନୀତିକାରରୁ ରାଜନେତା ସାଜିଥିବା ଜନ ସୂରଜ ପାର୍ଟିର ସୂତ୍ରଧର ପ୍ରଶାନ୍ତ କିଶୋର । ନିର୍ବାଚନ ପାଇଁ ପ୍ରଶାନ୍ତଙ୍କ ପାର୍ଟି ପାଟନା ଗାନ୍ଧି ମୈଦାନରେ ଏକ ବିଶାଳ ରାଲିରେ ସରକାରଙ୍କ ବିରୋଧରେ ଗର୍ଜିବେ । ରାଜ୍ୟରେ ଭ୍ରଷ୍ଟାଚାର, ଦାଦନ ଓ ବେରୋଜଗାର ମୁଦ୍ଦାକୁ ନେଇ ହେବାକୁ ଥିବା ଏହି ରାଲିର ନାଁ ‘ବିହାର ପରିବର୍ତ୍ତନ’ ରଖାଯାଇଛି ।

Advertisment

ଅନ୍ୟପଟେ ସବଠାରୁ ବଡ଼ କଥା ହେଉଛି ବିହାରରେ କଂଗ୍ରେସର ସବୁ ସଭା ସମିତିରେ କହ୍ନେୟା କୁମାରଙ୍କ ସକ୍ରିୟ ଭୂମିକା ଦେଖିବାକୁ ମିଳୁଛି । ନିଜେ ରାହୁଲ ଗାନ୍ଧୀ ଗତ ୩ ମାସ ମଧ୍ୟରେ ତୃତୀୟ ଥର ପାଇଁ କହ୍ନେୟା କୁମାରଙ୍କ ସହ ନଜର ଆସିଲେଣି । ଏଣୁ ଆକଳନ କରାଯାଉଛି ଯେ,ଏଥର ବିହାରରେ କହ୍ନେୟା କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିପାରେ କଂଗ୍ରେସ । ହେଲେ ଏହାକୁ ନେଇ ଏଯାଏଁ କଂଗ୍ରେସ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ । 

ରାହୁଲ ଗାନ୍ଧୀ ଓ କହ୍ନେୟା କୁମାରଙ୍କ ଯେଉଁଭଳି ଯୁଗଳବନ୍ଦୀ ଦେଖିବାକୁ ମିଳୁଛି, ଆଲୋଚନା ହେଉଛି କଂଗ୍ରେସର ଚିନ୍ତାଧାରା ଏବେ କମ୍ୟୁନିଷ୍ଟ ଆଡ଼କୁ ଢଳୁଛି । କୁହାଯାଉଛି କହ୍ନେୟା କୁମାରଙ୍କୁ ଚେହେରା କରି କଂଗ୍ରେସ ପରମ୍ପରାଗତ ଭୋଟ ହାସଲ କରିବାକୁ ଚାହୁଁଛି । କାରଣ କଂଗ୍ରେସ ବୁଝି ସାରିଛି ଯେ, ନିର୍ବାଚନୀ ବୈତରଣୀ ପାର୍‌ ହେବାକୁ ହେଲେ ଆର୍‌ଜେଡି ଓ ଜେଡିୟୁ ଭୋଟ ବ୍ୟାଙ୍କ୍‌ ଉପରେ ନଜର ପକାଇବାକୁ ହେବ । କଂଗ୍ରେସର ମୁଖ୍ୟ ଫୋକସ୍ ଦଳିତ, ସବର୍ଣ୍ଣ ଭୋଟ ଉପରେ ରହିଛି । 

କହ୍ନେୟା କୁମାର ୨୦୧୯ ଲୋକସଭା ନିର୍ବାଚନରେ ବେଗୁସରାଇ ସଂସଦୀୟ ଆସନରୁ ପ୍ରାର୍ଥୀ ହୋଇଥିଲେ । ଏହାପରେ କହ୍ନେୟା କୁମାରଙ୍କୁ ସାରାଦେଶରେ ବିଜେପି ବିରୋଧୀ ନେତାଙ୍କ ସମର୍ଥନ ମିଳିଥିଲା । ଏହି ନିର୍ବାଚନରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଗିରିରାଜ ସିଂହଙ୍କୁ ୬ ଲକ୍ଷ ୯୨ ହଜାର ଭୋଟ ମିଳିଥିଲା । ସେପଟେ କହ୍ନେୟା କୁମାରଙ୍କୁ ମିଳିଥିଲା ମାତ୍ର ୨ ଲକ୍ଷ ୬୯ ହଜାର ଭୋଟ । ଏହାପରେ ୨୦୨୪ରେ ଦିଲ୍ଲୀରେ ନର୍ଥ-ଇଷ୍ଟ ଆସନରେ ବି ନିଜ ଭାଗ୍ୟ ପରୀକ୍ଷା କରିଥିଲେ । ଏଥିରେ ବି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା, ବିଜେପି ପ୍ରାର୍ଥୀ ମନୋଜ ତିୱାରୀ ତାଙ୍କୁ ୧ ଲକ୍ଷ ୩୮ ହଜାର ୭୭୮ ହଜାର ଭୋଟରେ ପରାଜିତ କରିଥିଲେ । 

ବେଗୁସରାଇରେ ବିଧାନସଭା ନିର୍ବାଚନ ଲଢ଼ି ବିହାର ଦଖଲ କରି ପାରିବେ ତ କହ୍ନେୟା କୁମାର । ତେଘଡ଼ା ବା ବଛୱାଡ଼ା ଆସନରୁ ସେ ପ୍ରାର୍ଥୀପତ୍ର ଦାଖଲ କରି ପାରନ୍ତି କହ୍ନେୟା କୁମାର । ଏଠାରେ ସିପିଆଇ ପ୍ରାର୍ଥୀଙ୍କୁ ମାତ୍‌ ଦେଇଛନ୍ତି ବିଜେପି ପ୍ରାର୍ଥୀ । ଏଣୁ ବିଜେପି ବିପକ୍ଷରେ ଲଢ଼ିବା କହ୍ନେୟା କୁମାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍‌ ହେବ ନିଶ୍ଚୟ ।