କନକ ବ୍ୟୁରୋ: ପ୍ରଶାନ୍ତ କିଶୋର ଲଢ଼ିବେନି ବିହାର ବିଧାନସଭା ନିର୍ବାଚନ । ବିହାର ନିର୍ବାଚନ ପାଇଁ ଭୋଟ୍ ପଡ଼ିବା ପୂର୍ବରୁ ଜନସୂରାଜ ପାର୍ଟିର ନେତା ପ୍ରଶାନ୍ତ କିଶୋର ଏହି ବଡ଼ ଘୋଷଣା କରିଛନ୍ତି । ପିଟିଆଇ ସହିତ ଆଲୋଚନା ସମୟରେ ପିକେ ସ୍ପଷ୍ଟ କରିଛନ୍ତି ଯେ, ସେ ବିହାର ବିଧାନସଭା ନିର୍ବାଚନ ଲଢିବେ ନାହିଁ । ଜନସୂରାଜ ନିଷ୍ପତ୍ତି ନେଇଛି ଯେ, ସେ ସଙ୍ଗଠନାତ୍ମକ କାମରେ ଧ୍ୟାନ ଦେବେ,ଏହି କାରଣରୁ ସେ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବେ ନାହିଁ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର ।
ପ୍ରଶାନ୍ତ କିଶୋର କହିଛନ୍ତି ଯେ ଜନ ସୂରାଜ କେବଳ କ୍ଷମତା ହାସଲ ପାଇଁ ଏକ ଆନ୍ଦୋଳନ ନୁହେଁ, ବରଂ ବିକଳ୍ପ ରାଜନୀତିର ଏକ ଦୃଷ୍ଟିକୋଣ। ସେ ଦାବି କରିଛନ୍ତି ଯେ ଯଦି ଜନ ସୂରାଜ ବିହାରରେ ୧୫୦ ରୁ କମ୍ ଆସନ ଜିତିଥାଏ, ତେବେ ଏହାକୁ ପରାଜୟ ବୋଲି ବିବେଚନା କରାଯିବ। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଆମେ ପରିବର୍ତ୍ତନର ରାଜନୀତି କରୁଛୁ ।
ଅନ୍ୟପଟେ ପ୍ରଶାନ୍ତ କିଶୋର ନୀତିଶ କୁମାରଙ୍କ ସରକାର ଉପରେ ଶବ୍ଦର ତୀର ମାରି କହିଛନ୍ତି ଯେ ବର୍ତ୍ତମାନର ଏନଡିଏ ଶାସନରେ ଦୁର୍ନୀତି ପୂର୍ବ ଅପେକ୍ଷା ଅଧିକ ହୋଇଛି। ନୀତିଶ କୁମାରଙ୍କ ସରକାରରେ ଅନେକ ନେତା ଆରଜେଡିର ନେତାମାନଙ୍କ ଅପେକ୍ଷା ଆହୁରି ଦୁର୍ନୀତିଗ୍ରସ୍ତ। କ୍ଷମତାରେ ଥିବା ଲୋକମାନେ ଜନସେବା ପାଇଁ ନୁହେଁ, ବ୍ୟକ୍ତିଗତ ଲାଭ ପାଇଁ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ପିକେ ।