କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ଏକଦା ଦଳର ସାଂସଦ ଥିବା ନେଇ ଏହି ନେତା କହିଛନ୍ତି ଯେ, ପାଣ୍ଡିଆନଙ୍କ ପାଇଁ ହିଁ ବିଜେଡିର ଲୋକପ୍ରିୟ ସରକାର ଚାଲିଗଲା । ଆଉ ଯେପର୍ଯ୍ୟନ୍ତ ପାଣ୍ଡିଆନ୍ ଥିବେ, ସେ ପର୍ଯ୍ୟନ୍ତ ବିଜେଡି ଆଉ ସରକାରକୁ ଆସିବନି । ଅନ୍ୟପଟେ ପାଣ୍ଡିଆନଙ୍କ ପାଇଁ ହିଁ ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ଛାଡିଛନ୍ତି ବୋଲି ସେ କହିଛନ୍ତି ।
ଏକଦା ବିଜେଡିର ଲୋକପ୍ରିୟ ସାଂସଦ ଥିଲେ ପ୍ରସନ୍ନ ପାଟ୍ଟଶାଣୀ । ହେଲେ ଦଳ ସହ ଦୀର୍ଘ ବର୍ଷର ସମ୍ପର୍କ କାଟି ସେ ଏବେ ବିଜେପି ନେତା । ଆଉ ନିର୍ବାଚନ ଶେଷ ହେବାର ପ୍ରାୟ ୫ ମାସ ପରେ ବିଜେଡି ପରାଜୟ ପଛର କାରଣ କହିଛନ୍ତି, ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ।
ସେ କହିଛନ୍ତି, ମୁଁ ବିଜେଡି ଲୋକ, ହେଲେ ଦୁର୍ଭାଗ୍ୟର କଥା, ଦଳ ଗଢିକି ଦଳ ଛାଡିଲା ବେଳେ ବଡ ଦୁଃଖ ଲାଗେ । ମୁଁ କେବେ ବି ଦଳ ଛାଡ଼ିକି ଆସି ନଥାନ୍ତି ବୋଲି ସେ କହିଛନ୍ତି । ଏହାସହ ବର୍ତ୍ତମାନ ଅମର ଶତପଥୀ, ଯାହା କହିଛନ୍ତି କିଛି ବି ଖରାପ କହିନାହାନ୍ତି ବୋଲି ପ୍ରସନ୍ନ ପାଟ୍ଟଶାଣୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।
ପାଣ୍ଡିଆନଙ୍କ ସମ୍ପର୍କରେ ପ୍ରତିକ୍ରିୟା ଦେଇ ପାଟ୍ଟଶାଣୀ କହିଛନ୍ତି, ସେ ରାଜନୀତିରୁ ସନ୍ୟାସ ନେବେ ବୋଲି କାହିଁକି କହୁଥିଲେ ? ସେ ଭୁଲ୍ ନା ସେ ବୁଝିପାରୁଛନ୍ତି ନା ଆମେ ଦେଖିପାରୁଛୁ । ନବୀନଙ୍କ ପ୍ରତି ତାଙ୍କର ଦୁର୍ବଳତା ଅଛି, କିନ୍ତୁ ପାଣ୍ଡିଆନ ଯୋଗୁଁ ବିଜେଡିର ଲୋକପ୍ରିୟ ସରକାର ଚାଲିଗଲା । ବିଜେଡିରେ କେହି ନବୀନଙ୍କ ବିରୋଧରେ କହୁନାହାନ୍ତି, ପାଣ୍ଡିଆନଙ୍କୁ କାହିଁ କହୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।