ପ୍ରକାଶ ସାହୁ ମୃତ୍ୟୁ ମାମଲା ; ନ୍ୟାୟ ଦାବିରେ ପରିବାର ଲୋକଙ୍କ ଥାନା ଘେରାଉ

ଆଜିକୁ ୮୬ ଦିନ ତଳେ ବରମୁଣ୍ଡା ଅଞ୍ଚଳରେ ରହୁଥିବା ପ୍ରକାଶ ସାହୁ ନାମକ ଜଣେ ନାବାଳକଙ୍କୁ କିଛି ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିଲେ। ସୋମବାର ପ୍ରକାଶଙ୍କର ମୃତ୍ୟୁ ହୋଇଯାଇଛି।

bbsr prakash sahu death

କନକ ବ୍ୟୁରୋ: କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ପରିବେଶ। ଛାତି ଫଟାଇ ଚିତ୍କାର କରୁଛି ଜଣେ ମାଆ। ପୁଅର ହତ୍ୟାକାରୀକୁ ଗିରଫ ପ୍ରତିବାଦରେ ବିକ୍ଷୋଭ କରୁଛନ୍ତି ପରିବାର। ପୁଅର ହତ୍ୟାକାରୀକୁ ଖଣ୍ଡଗିରି ପୁଲିସ ଛାଡି ଦେଇଥିବା ଅଭିଯୋଗରେ ଥାନା ଘେରାଉ ଉଦ୍ୟମ କରାଯାଉଛି। କେତେବେଳେ,ଚଳନ୍ତା ବସ ତଳେ ଶୋଇ ପଡିବାକୁ ତ ପୁଣି କେତେବେଳେ ବସକୁ ଅଟକାଇବାକୁ ଉଦ୍ୟମ କରୁଛନ୍ତି।

ଅଭିଯୋଗ ଅନୁସାରେ ଆଜିକୁ ୮୬ ଦିନ ତଳେ ବରମୁଣ୍ଡା ଅଞ୍ଚଳରେ ରହୁଥିବା ପ୍ରକାଶ ସାହୁ ନାମକ ଜଣେ ନାବାଳକଙ୍କୁ କିଛି ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିଲେ। ସୋମବାର ପ୍ରକାଶଙ୍କର ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ପୁର୍ବର ଜମାନବନ୍ଦୀରେ ସେ ଗୋଟି ଗୋଟି କରି ଅଭିଯୁକ୍ତଙ୍କ ନାଁ କହିଥିଲେ ସୁଦ୍ଧା, ପୁଲିସ ଅଭିଯୁକ୍ତଙ୍କୁ ଛାଡି ଦେଇଥିଲା। ଯେତେବେଳେ ପ୍ରକାଶ ହସ୍ପିଟାଲ ବେଡରେ ନିଜ ଜୀବନ ପାଇଁ ସଂଘର୍ଷ କରୁଥିଲେ, ସେହି ସମୟରେ ଅପରାଧୀ ମାନେ ଖୁଲମଖୁଲା ବୁଲୁଥିଲେ। ତେବେ ନିଜ ପୁଅର ହତ୍ୟାକାରୀଙ୍କୁ ଦଣ୍ଡ ଦେବା ପାଇଁ ରାସ୍ତାକୁ ଓହ୍ଲାଇଥିଲେ ପୁରା ପରିବାର।

ସେପଟେ ହତ୍ୟା ମାମଲା ରୁଜୁ କରିବା ପରେ, ରାସ୍ତାରୁ ହଟିଥିଲେ ପ୍ରତିବାଦକାରୀ। ଏହି ତମାମ ଘଟଣାକୁ ଗୁରୁତ୍ୱର ସହ ନେଇ ପୁଲିସ ତଦନ୍ତ କରୁଛି। ଏଥିରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସିପି।

କିଛି କିଛି ପୁଲିସ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ କମିସନରେଟ ପୁଲିସକୁ ବଦନାମ ହେବାକୁ ପଡୁଛି। ଏଠାରେ ପ୍ରଶ୍ନ ଉଠୁଛି, ପ୍ରକାଶଙ୍କ ମୃତ୍ୟୁ ପୁର୍ବରୁ ତାଙ୍କର ଜମାନବନ୍ଦୀ ରେକର୍ଡ କରାଯାଇଥିଲା କି ନାହିଁ? ଯଦି ରେକର୍ଡ କରାଯାଇଥିଲା ତାହେଲେ ସମସ୍ତ ଅଭିଯୁକ୍ତଙ୍କୁ କାହିଁକି ଗିରଫ କରାଯାଇ ନଥିଲା? ନାବାଳକକୁ ମରଣାନ୍ତକ ଆକ୍ରମଣ ଘଟଣାକୁ ହାଲୁକା ଭାବରେ ନେଇଥିଲା କି ଖଣ୍ଡଗିରି ପୁଲିସ?  ଏହି ଘଟଣା ପରେ ସବୁ ଆଡେ କେବଳ ଗୋଟିଏ କଥାକୁ ନେଇ ଚର୍ଚ୍ଚା, ଆଉ କେତେ ଘଟଣା ଘଟିଲେ ପୁଲିସ ବୁଦ୍ଧି ଶିଖିବ?  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe