କନକ ବ୍ୟୁରୋ: ଚର୍ଚ୍ଚାରେ ପୂର୍ବତନ ଆଇପିଏସ ଅଧିକାରୀଙ୍କ ପୁସ୍ତକ 'କମେଡି ଇନ ଖାକୀ । ପୁସ୍ତକରେ ନବୀନଙ୍କ ନାଁ ନ ନେଇ କଟାକ୍ଷ କରିଛି ପୂର୍ବତନ ଡିଜି ପ୍ରକାଶ ମିଶ୍ର । କମେଡି ଇନ ଖାକି ବହିରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ନବୀନଙ୍କ ଗସ୍ତ ସମୟର ଏକ ରୋଚକ ତଥ୍ୟ ଦେଇଛନ୍ତି ପ୍ରକାଶ ମିଶ୍ର । ପୁସ୍ତକରେ ଲେଖିଛନ୍ତି, ଥରେ  ହିଞ୍ଜିଳିକୁ ଏକ ସଭାରେ ଯୋଗଦେବାକୁ ଯାଇଥିବା ସମୟରେ ନବୀନଙ୍କୁ ଭେଟିବାକୁ ସ୍ଥାନୀୟ ଲୋକ ଭିଡ଼ ଲଗାଇଥିଲେ । ଏହି ସମୟରେ ମଞ୍ଚ ଉପରେ ବସିଥିବା ନବୀନ ପ୍ରବଳ ଗହଳି ଦେଖି ବିରକ୍ତି ଭାବ ପ୍ରକାଶ କରିଥିଲେ । ସେହି ସ୍ଥାନରେ ସ୍ଥାନୀୟ ଲୋକେ ଏକତ୍ରିତ ହୋଇ ନବୀନଙ୍କୁ ସେମାନଙ୍କ ଅସୁବିଧା ବାବଦରେ ଅନେକ ଘଟଣା କହୁଥିବା ବେଳେ ନବୀନ ସ୍ଥାନୀୟ ବିଧାୟକକୁ ଡାକିବାକୁ ନିର୍ଦେଶ ଦେଇଥିଲେ । ସେହି ସମୟରେ କେହି ସାହସ କରିନଥିଲେ ନବୀନଙ୍କୁ କହିବା ପାଇଁ କି ସେ ହିଁ ଏହି ଅଞ୍ଚଳର ବିଧାୟକ,ଶେଷରେ ନବୀନଙ୍କ ପାଖରେ ଉପସ୍ଥିତ ଥିବା ଜଣେ ସହଯୋଗୀ ସାହସ କରି କହିଥିଲେ ସେ ହିଁ ଏହି ଅଞ୍ଚଳର ବିଧାୟକ । ଭୁବନେଶ୍ୱର ଆଇ ଏମ୍ ଏମ୍ ଟି ଅଡିଟୋରିୟମରେ ଆଜି ଉନ୍ମୋଚିତ ହୋଇଛି ପୁସ୍ତକ  । ସ୍କୁଲ ଦିନରୁ ଖାକିରେ କ୍ୟାରିଅର ପର୍ଯ୍ୟନ୍ତର କାହାଣୀ ଏହି ପୁସ୍ତକରେ ରହିଛି । ୧୩୫ ବିଶିଷ୍ଟ ପ୍ରକାଶ ମିଶ୍ରଙ୍କ ବହିରେ ନବୀନଙ୍କ ବିଷୟରେ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ପ୍ରକାଶ ପାଇଛି ।

Advertisment