କନକ ବ୍ୟୁରୋ: ୨୦୦୪ ଲୋକସଭା ନିର୍ବାଚନ ଦେଶର ରାଜନୀତିକୁ ଏକ ନୂତନ ଦିଗଦର୍ଶନ ଦେଇଥିଲା । ୨୦୦୨ ମସିହାରେ ଗୁଜରାଟ ଦଙ୍ଗା ପରେ ହୋଇଥିବା ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ସରକାରଙ୍କ ଇଣ୍ଡିଆ ସାଇନିଙ୍ଗ୍ ସ୍ଲୋଗାନ ବିଫଳ ହୋଇଥିଲା,ଏନଡିଏ ହାରିଗଲା । ୟୁପିଏକୁ ଚମତ୍କାର ବିଜୟ ମିଳିଲା କିନ୍ତୁ ୟୁପିଏର ଏହି ବିଜୟରେ ବାମପନ୍ଥୀ ଦଳଗୁଡ଼ିକର ଏକ ବଡ଼ ଭୂମିକା ଥିଲା । ୨୦୦୪ ଲୋକସଭା ନିର୍ବାଚନରେ ବାମପନ୍ଥୀ ଦଳଗୁଡ଼ିକ ମୋଟ ୫୯ଟି ଆସନ ଜିତିଥିଲେ । ସିପିଏମ୍ ୪୩ଟି ଆସନ ପାଇଥିଲା ଏବଂ ସିପିଆଇ ୧୦ଟି ଆସନ ପାଇଥିଲା,ଯାହାକି ଭାରତର ସଂସଦୀୟ ଇତିହାସରେ ବାମପନ୍ଥୀ ଦଳର ସବୁଠୁ ବଡ ବିଜୟ ଥିଲା ।
ସେତେବେଳେ କଂଗ୍ରେସ ଦଳ ନିଜ ଦମ୍ରେ ୧୪୫ଟି ଆସନ ଜିତିଥିଲା । ବାମପନ୍ଥୀ ଦଳ ଏବଂ ଅନ୍ୟାନ୍ୟ ଦଳଗୁଡ଼ିକ ସହିତ ୟୁପିଏ ଗଠବନ୍ଧନ କରି ସରକାର ଗଠନ କଲା । ସେତେବେଳେ ବାମପନ୍ଥୀ ଦଳର ଏହି ବଡ଼ ବିଜୟର ଶ୍ରେୟ ସିପିଏମ୍ର ଯୁବ ସାଧାରଣ ସମ୍ପାଦକ ପ୍ରକାଶ କରାତଙ୍କୁ ମିଳିଥିଲା । ପ୍ରକାଶ କରାତ... ଜେଏନୟୁରେ ପଢ଼ୁଥିବା ଜଣେ ସଚ୍ଚା କମ୍ୟୁନିଷ୍ଟ୍ ନେତା ଥିଲେ ।
୨୦୦୪ ନିର୍ବାଚନ ପରେ ପ୍ରକାଶ କରାତ ଜଣେ ବଡ଼ ନେତା ଭାବରେ ଲୋକଲୋଚନକୁ ଆସିଥିଲେ । ମନମୋହନ ସିଂହଙ୍କ ନେତୃତ୍ୱରେ ଗଠିତ ସରକାରରେ ବାମପନ୍ଥୀ ସାମିଲ ହୋଇନଥିଲେ ସତ କିନ୍ତୁ ସିପିଏମ୍ର ସୋମନାଥ ଚାଟାର୍ଜୀଙ୍କୁ ଲୋକସଭାର ଅଧ୍ୟକ୍ଷ କରାଯାଇଥିଲା । ଶେଷରେ ପ୍ରକାଶ କରାତଙ୍କ ସିପିଏମ୍ ନୀତିର ମନୋଭାବ ମନମୋହନ ସିଂହଙ୍କ ରାସ୍ତାରେ କଣ୍ଟା ସାଜିଥିଲା ।
ପ୍ରକୃତରେ, ମନମୋହନ ସିଂହ ଭାରତର ଆବଶ୍ୟକତା ଅନୁସାରେ ଆମେରିକା ସହିତ ପରମାଣୁ ଚୁକ୍ତି ସ୍ୱାକ୍ଷର କରିଥିଲେ । ପ୍ରକାଶ କରାତ ଏହି ଚୁକ୍ତିନାମାରେ ଅସନ୍ତୁଷ୍ଟ ଥିଲେ । ପରମାଣୁ ଚୁକ୍ତିନାମାର ପ୍ରତିବାଦରେ, ସିପିଏମ୍ ସମର୍ଥନ ପ୍ରତ୍ୟାହାର ଘୋଷଣା କରିଥିଲା । ସେ ମନମୋହନ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଘୋଷଣା କରିଥିଲେ । ଏହି ଚୁକ୍ତିନାମା ଶେଷରେ ୨୦୦୮ ମସିହାରେ କାର୍ଯ୍ୟକାରୀ ହୋଇଥିଲା କିନ୍ତୁ ଏହାର ଆରମ୍ଭ ଏବଂ ଆଲୋଚନା ୨୦୦୫-୬ରୁ ହିଁ ଆରମ୍ଭ ହୋଇଥିଲା ।
୨୦୦୪ ସାଧାରଣ ନିର୍ବାଚନ ପରେ ବାମପନ୍ଥୀ ଦଳଗୁଡ଼ିକ ୟୁପିଏକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ତାଙ୍କର ସର୍ତ୍ତ ଥିଲା ଯେ ସରକାର ସେମାନଙ୍କ ନୀତି ଏବଂ ବିଚାରଧାରାକୁ ସମ୍ମାନ ଦେବେ । ଆରମ୍ଭରୁ ଏହି ମେଣ୍ଟ ଭଲ କାମ କରୁଥିଲା, କିନ୍ତୁ ଭାରତ-ଆମେରିକା ପରମାଣୁ ଚୁକ୍ତି ସମୟରେ ଏହି ସମ୍ପର୍କରେ ଫାଟ ସୃଷ୍ଟି ହେଲା ।
ପ୍ରକାଶ କରାତ ସେତେବେଳେ ସିପିଏମ୍ର ମହାସଚିବ ଥିଲେ । ସେ ଆମେରିକା ସହିତ ଭାରତର ପରମାଣୁ ଚୁକ୍ତିକୁ ଘୋର ବିରୋଧ କରୁଥିଲେ । ସେ କହୁଥିଲେ ଯେ ଏହି ଚୁକ୍ତିନାମା ଭାରତର ସାର୍ବଭୌମତ୍ୱ ଏବଂ ସ୍ୱାଧୀନ ବୈଦେଶିକ ନୀତି ପାଇଁ ବିପଦ । କରାତ ଏବଂ ବାମପନ୍ଥୀ ଦଳର ଯୁକ୍ତି ଥିଲା ଯେ ଏହି ଚୁକ୍ତି ଭାରତକୁ ଆମେରିକାର ପ୍ରଭାବରେ ଆଣିବ ଏବଂ ଦେଶର ସ୍ୱତନ୍ତ୍ର ପରମାଣୁ ନୀତିକୁ ଦୁର୍ବଳ କରିଦେବ । ଅନ୍ୟପକ୍ଷରେ ମନମୋହନ ସିଂହ ଭାରତର ଶକ୍ତି ଓ ଆବଶ୍ୟକତା ପୂରଣ କରିବା ଏବଂ ଅନ୍ତର୍ଜାତୀୟ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଏହି ଚୁକ୍ତିକୁ ଆବଶ୍ୟକ ବୋଲି ବିବେଚନା କରିଥିଲେ । ଏହି ମତଭେଦ ଏତେ ବଢ଼ିଗଲା ଯେ ବାମପନ୍ଥୀ ଦଳ ୨୦୦୮ ମସିହାରେ ୟୁପିଏ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଲେ ।
ସମର୍ଥନ ପ୍ରତ୍ୟାହାର କରିବା ପରେ ଜୁଲାଇ ୨୦୦୮ରେ ମନମୋହନ ସରକାରଙ୍କ ବିରୁଦ୍ଧରେ ଲୋକସଭାରେ ଏକ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । ଏହି ପ୍ରସ୍ତାବ ବିରୋଧୀ ଦଳଗୁଡ଼ିକ, ବିଶେଷକରି ବିଜେପି ଏବଂ ବାମପନ୍ଥୀ ଦଳଗୁଡ଼ିକର ସମର୍ଥନରେ ଉପସ୍ଥାପିତ ହୋଇଥିଲା । ଏହି ପ୍ରସ୍ତାବକୁ ସମର୍ଥନ କରିବାରେ ପ୍ରକାଶ କରାତ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ । ସେ ସାର୍ବଜନୀନ ଭାବରେ ଘୋଷଣା କରିଥିଲେ ଯେ ବାମପନ୍ଥୀ ଦଳଗୁଡ଼ିକ ଏହି ଚୁକ୍ତିନାମାକୁ ଗ୍ରହଣ କରିବେ ନାହିଁ ।
ସେତେବେଳେ ଅନାସ୍ଥା ପ୍ରସ୍ତାବ ଯୋଗୁଁ ଲୋକସଭାରେ ତୀବ୍ର ଝଡ ସୃଷ୍ଟି ହୋଇଥିଲା । କାରଣ, ବାମପନ୍ଥୀ ଦଳର ୫୯ ଜଣ ସାଂସଦଙ୍କ ସମର୍ଥନ ବିନା ୟୁପିଏର ବହୁମତ ବିପଦରେ । ତଥାପି ଏହି ସଙ୍କଟର ମୁକାବିଲା କରିବା ପାଇଁ ମନମୋହନ ସିଂହ ଏକ ଭିନ୍ନ ରଣନୀତି ଆପଣାଇ କରିଥିଲେ । ସମାଜବାଦୀ ପାର୍ଟି ଏବଂ ଅନ୍ୟ କିଛି ଛୋଟ ଦଳକୁ ନିଜ ସମର୍ଥନରେ ନେଇ ସରକାର ବହୁମତ ହାସଲ କରିଥିଲା । ୨୨ ଜୁଲାଇ, ୨୦୦୮ରେ ହୋଇଥିବା ଭୋଟିଂରେ ମନମୋହନ ସରକାର ୨୭୫ ଭୋଟରେ ବିଜୟୀ ହୋଇଥିଲା, ଯେତେବେଳେ କି ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୨୫୬ ଭୋଟ ପଡ଼ିଥିଲା । ଏହି ବିଜୟ ମନମୋହନ ସିଂହଙ୍କ ରାଜନୈତିକ ବୁଦ୍ଧିମତାକୁ ପ୍ରମାଣିତ କଲା ।
ତେବେ ସେତେବେଳେ ମନମୋହନ ସରକାର ଭାଙ୍ଗିବାରେ ମୁଖ୍ୟ ଭୂମିକା ନେଇଥିବା ସିପିଆଇଏର ଟାଣୁଆ ନେତା ପ୍ରକାଶ କରାତ ଓ ତାଙ୍କ ପତ୍ନୀ ବିନ୍ଦ୍ରା କରାତେଙ୍କୁ ଦଳ ପଲିଟିବ୍ୟୁରୋର ସଦସ୍ୟରୁ ଅବ୍ୟାହତି ଦେଇଛି । ଏହାସହ ଅନ୍ୟ ବରିଷ୍ଠ ନେତାମାନଙ୍କୁ ବୟସାଧିକ କାରଣରୁ ଦଳର ନିୟମ ଅନୁସାରେ ପଲିଟ୍ ବ୍ୟୁରୋରୁ ଅବସର ନେଇଛନ୍ତି ।