କନକ ବ୍ୟୁରେ : କର୍ଣ୍ଣାଟକ ହାସନ ଲୋକସଭା କ୍ଷେତ୍ରର ପୂର୍ବତନ ସାଂସଦ ତଥା ଜେଡିଏସର ବରିଷ୍ଠ ନେତା ଏଚ୍.ଡି ରେବନ୍ନାଙ୍କ ପୁଅ ପ୍ରଜ୍ୱଳ ରେବନ୍ନା ସାମୁହିକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆସନ୍ତା କାଲି କୋର୍ଟ ଦଣ୍ଡବିଧାନ କରିବେ । କୋର୍ଟଙ୍କ ରାୟ ଶୁଣିବା ପରେ ରେବନ୍ନା ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ଏହି ମାମଲାର ଶୁଣାଣି ବେଙ୍ଗାଲୁରୁ ସ୍ଥିତି ନିର୍ବାଚିତ ଜନପ୍ରତିନିଧୀଙ୍କ ସହ ଜଡ଼ିତ ମାମଲାର ଶୁଣାଣି ପାଇଁ ଗଠନ ହୋଇଥିବା ବିଶେଷ ଅଦାଲତ କରିଛନ୍ତି । ଅଭିଯୋଗ ହେବାର ୧୪ ମାସ ପରେ କୋର୍ଟ ରାୟ ଶୁଣାଇଛନ୍ତି ।
ପ୍ରଜ୍ୱଳ ରେବନ୍ନାଙ୍କ ବିରୋଧରେ ଆସିଥିବା ବଳାକ୍ରାର ମାମଲାରେ ଶାଢୀକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ କୋର୍ଟରେ ଉପସ୍ଥାପନ କରାଯାଇଥିଲା । ପ୍ରଜ୍ୱଳଙ୍କ ନାମରେ ଅଭିଯୋଗ ଥିଲା କି, ସେ ଘରୋଇ ସହାୟିକାଙ୍କୁ ଥରେ ନୁହେଁ ଦୁଇଦୁଇ ଥର ବଳାକ୍ରାର କରିଛନ୍ତି । ପୀଡ଼ିତା ଜଣଙ୍କ ବଳାକ୍ରାର ସମୟର ଭିଡ଼ିଓ ରେକର୍ଡ କରିଥିଲେ । ଏହାସହ ବଳାକ୍ରାର ସମୟରେ ସେ ଯେଉଁ ଶାଢୀ ପିନ୍ଧିଥିଲେ ତାକୁ ସେ କୋର୍ଟରେ ଉପସ୍ଥାପନ କରିଥିଲେ । ଯାଂଚ ବେଳେ ସେହି ଶାଢୀରେ ସ୍ପର୍ମ ଚିହ୍ନ ଥିବା ମିଳିଥିଲା । ପ୍ରଜ୍ୱଳ ରେବନ୍ନାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଓ ଆଇଟି ଆକ୍ଟର ଅନେକ ଧାରା ଆଧାରରେ ଦଣ୍ଡବିଧାନ ହେବ ।
ଏହି ମାମଲାର ଯାଂଚ ସିଆଇଡି ଇନସ୍ପେକ୍ଟର ଶୋଭା ଓ ତାଙ୍କ ଟିମ୍ କରିଥିଲେ । ଏହି ମାମଲାର ଶୁଣାଣି ୨୦୨୪ ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇଥିଲା । ପ୍ରଜ୍ୱଳଙ୍କ ବିରୋଧରେ ୨୩ ଜଣ ସାକ୍ଷୀ ଦେଇଥିଲେ । ଏହା ବ୍ୟତୀତ କୋର୍ଟ ଭିଡ଼ିଓ କ୍ଲିପ୍ସ ଓ ଫରେନସିକ ରିପୋର୍ଟକୁ ମଧ୍ୟ ପ୍ରମାଣ ଭାବେ ଗ୍ରହଣ କରିଥିଲା ।