କନକ ବ୍ୟୁରୋ :  ଦିନ ଥିଲା, ଲାଲଗଡରେ ଯବାନଙ୍କୁ ବିରୋଧ କରାଯାଉଥିଲା। କ୍ୟାମ୍ପ ପ୍ରତ୍ୟାହାର ପାଇଁ ଗ୍ରାମବାସୀଙ୍କ ଜରିଆରେ ପ୍ରଜାମେଳି କରୁଥିଲେ ଲାଲବାହିନୀ। ହେଲେ ଏବେ ଲାଲଗଡ଼ର ଚିତ୍ର ବଦଳିଯାଇଛି । ଯେଉଁ କ୍ୟାମ୍ପକୁ ଦିନେ ଉଠାଇ ଦେବାକୁ ଦାବି କରାଯାଉଥିଲା, ଆଜି ସେଠାରେ କ୍ୟାମ୍ପ ପ୍ରତ୍ୟାହାର ବନ୍ଦ କରିବାକୁ ଦାବି ହୋଇଛି । ଦଶନ୍ଧି ଦଶନ୍ଧି ଧରି ମାଓବାଦୀଙ୍କ ହିଂସା ଯୋଗୁ ପରାଧୀନ ଜୀବନ ବିତାଉଥିବା ଲୋକେ ବର୍ତ୍ତମାନ ବିଏସଫ ଯବାନଙ୍କ ମୁତୟନ ଯୋଗୁଁ ସ୍ୱାଧୀନ ଭାବେ ଜୀବନ କାଟିବା ସହ ବିକାଶର ଚିତ୍ର ଦେଖୁଛନ୍ତି ।  ୩ ବର୍ଷ ପୂର୍ବେ ଯନ୍ତ୍ରୀଠାରେ କ୍ୟାମ୍ପ ସ୍ଥାପନ ହୋଇଥିଲା । ଯାହାପରେ ବର୍ତ୍ତମାନ ରାସ୍ତା ଘାଟ, ପୋଲ ନିର୍ମାଣ କାମ ଜୋର ଧରିଛି । ତେଣୁ ଯନ୍ତ୍ରୀ ଠାରୁ ବିଶୋଇଗୁଡା ଓ ଧାକଡପଦର, କଡିଗନ୍ଧି ଠାରୁ ଘନବେଡା ସେତୁ ନିର୍ମାଣ କାମ ଶେଷ ନହେବା ଯାଏଁ ବିଏସଏଫ ଯବାନଙ୍କୁ ଛାଡିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

Advertisment

ମାଲାକନଗିରି ଜିଲ୍ଲାରେ ୪ ବାଟାଲିୟନ ବିଏସଏଫ ଯବାନ ମୁତୟନ ହୋଇଛନ୍ତି । ଗୋଟିଏ ବାଟାଲିୟନ ପ୍ରତ୍ୟାହାର କରାଯାଇ ଜାମ୍ମୁ କାଶ୍ମୀରରେ ମୁତୟନ କରାଯାଇଛି । ଚିତ୍ରକୋଣ୍ଡା ଅଂଚଳର ଡାଇକ-ଥ୍ରୀ, ପିପଳପଦର, ବଡପଦର ସହ ଛତିଶଗଡ ସୀମାବର୍ତ୍ତୀ ସାଲିମି, କିଆଙ୍ଗ ଓ ଏମଭି-୭୨ ପରି ୬ଟି ସିଓବିରୁ ବିଏସଏଫ ଯବାନଙ୍କୁ ପ୍ରତ୍ୟାହାର କରି ଆଇଆରବି ଯବାନଙ୍କୁ ମୁତୟନ କରାଯାଇଛି । ଆଗକୁ ଆହୁରି ବିଏସଏଫ କ୍ୱାମ୍ପ ପ୍ରତ୍ୟାହାର ଉଦ୍ଦେଶ୍ୟରେ ଆଇଆରବି ଯବାନଙ୍କୁ କୋରାପୁଟରେ ତାଲିମ ଦେଉଛନ୍ତି ବିଏସଏଫ ଯବାନ।