କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଏକ ଶୃଙ୍ଖଳିତ ଦଳ ଭାବେ ପରିଚିତ ଥିଲା ବିଜେଡି। ହେଲେ ପରାଜୟ ପରେ ସେହି ଶୃଙ୍ଖଳା, ଏବେ ବିଶୃଙ୍ଖଳାରେ ପରିଣତ ହୋଇଛି। ଜୁନିୟର ହୁଅନ୍ତୁ କି ସିନିୟର, ସବୁ ନେତା ମୁହଁ ଖୋଲିବା ଆରମ୍ଭ କରିଦେଲେଣି। ନିର୍ବାଚନରେ କାହିଁକି ହାରିଲା ଦଳ, ତା’ର କାରଣ କହିବା ସହ ନେତୃତ୍ବକୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି ଦୁଇ ବରିଷ୍ଠ ନେତା ପଦ୍ମନାଭ ବେହେରା ଓ ପ୍ରଫୁଲ୍ଲ ଘଡ଼େଇ।
- ଅସନ୍ତୋଷ ନିଆଁରେ କୁହୁଳୁଛି ବିଜେଡି
- ସୁରକ୍ଷା ଦେବେ କ’ଣ, ବରିଷ୍ଠ ବି ଗର୍ଜିଲେ
- ଖୋଲିଲେ ପରାଜୟର ଗୁମର
ନିର୍ବାଚନ ହାରିବା ପରେ ମୁଖର ହୋଇଯାଇଛନ୍ତି ବିଜେଡି ନେତା। ଜୁନିୟର ଠାରୁ ସିନିୟର, ସବୁ ଅସନ୍ତୋଷ ଝାଡ଼ୁଛନ୍ତି। ନିର୍ବାଚନ ପୂର୍ବରୁ ମୁହଁରେ ତାଲା ପକାଇ ରହୁଥିବା ନେତାଙ୍କ ତୁଣ୍ଡ ବୋଲ ମାନୁନି। ପ୍ରତ୍ୟେକ ଦିନ କିଏ ନା କିଏ ଦଳର ନେତୃତ୍ବ, ପରାଜୟ କଥା ଉଠାଇ ବିସ୍ଫୋରଣ କରୁଛନ୍ତି। ପ୍ରତିକ୍ରିୟା ଦେବା ଆଳରେ ତେରେଚ୍ଛା ବାଣ ମାରିଛନ୍ତି ଭେଟେରାନ ପଦ୍ମନାଭ ବେହେରା ଓ ପ୍ରଫୁଲ୍ଲ ଘଡ଼େଇ।
ପଦ୍ମନାଭ କହିଛନ୍ତି, ଆମେ ନିର୍ବାଚନ ଇସ୍ତାହାର କମିଟିରେ ଥିଲୁ। ଅନେକ ପ୍ରସ୍ତାବ ଦେଲୁ। ହେଲେ କିଛି ପ୍ରସ୍ତାବ ଗ୍ରହଣ ହେଲାନି, ଅଳ୍ପ କିଛି ଗ୍ରହଣ ହେଲା। ବିଜେପିର ଇସ୍ତାହାରକୁ ଲୋକେ ଅଧିକ ଗ୍ରହଣ କଲେ। ବିଜେଡି ଇସ୍ତାହାରକୁ ଗ୍ରହଣ କଲେନି। ଆଉ ବରିଷ୍ଠ ନେତାଙ୍କୁ ଗୁରୁତ୍ବ ଦେବା କଥା ସୁପ୍ରିମୋଙ୍କ ଅବଗତ କରାଇଛୁ। ସେପଟେ ପ୍ରଫୁଲ୍ଲ ଘଡ଼େଇ କହିଛନ୍ତି, ବିଜେଡିର ପରାଜୟ ପାଇଁ ପ୍ରାର୍ଥୀ, ପରିସ୍ଥିତି, ପରିଚାଳନା ଦାୟିତ୍ବ ଭଳି ଅନେକ ଗୁଡ଼ାଏ କାରଣ ରହିଛି। ବିଜେଡିକୁ ଯିଏ ପ୍ରତିଷ୍ଠା କରିଛନ୍ତି, ଆଉ ସଂଗଠନକୁ ଯେଉଁମାନେ ବଢ଼ାଇଛନ୍ତି, ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ପାଇଁ ଚେଷ୍ଟା କରାଯାଉ।
ତେବେ କିଛି ଦିନ ହେଲା ନେତୃତ୍ବ ଓ କୌଶଳ ଉପରେ ପ୍ରଶ୍ନ ଉଠାଇ ଚାଲିଛନ୍ତି ନେତା। ନିର୍ବାଚନ ପରେ ପରେ ବିଜେଡିରେ ଫାଟ ଚାରିଆଡ଼େ ଜଳଜଳ ହୋଇ ଦିଶୁନ୍ତି। ଯେଉଁଠି ଦେଖିବ, ଆଉ ଯାହାକୁ ବି ଦେଖିବ, ତାଙ୍କ ମନରେ ଅସନ୍ତୋଷ। ଏବେ ଦେଖାଦେଇଥିବା ଅସନ୍ତୋଷ ଆଗକୁ କେଉଁ ରୂପ ନେଉଛି, ସୁପ୍ରିମୋ ଏହାକୁ ପ୍ରତିହତ କରିବେ ନା ଆଗକୁ ଏହା ବିସ୍ଫୋରଣର ରୂପ ନେବ...