କନକ ବ୍ୟୁରୋ: ନୂଆ ଫିଲ୍ମ ପାଇଁ ହେବ ନୂଆ ମେକ୍‌ଓଭର୍‌ । ବାହୁବଳୀ ଷ୍ଟାର୍‌ ପ୍ରଭାସଙ୍କ ଗତ କିଛି ବର୍ଷର ଫିଲ୍ମ ଉପରେ ନଜର ପକାଇଲେ ଜଣାପଡ଼ୁଛି ଯେ, ପ୍ରତ୍ୟେକ ଫିଲ୍ମରେ ସେ ଭିନ୍ନ ଲୁକ୍‌ରେ ନଜର ଆସୁଛନ୍ତି ।  ପ୍ରତିଥର ଫିଲ୍ମ ସହ ତାଙ୍କର ଲୁକ୍ ମଧ୍ୟ ଚର୍ଚ୍ଚାରେ ରହିଥାଏ । ଅଭିନେତା ନିଜ ଲୁକ୍ ଓ ଅଭିନୟ ସହିତ ନିଜ ସରଳ ସ୍ୱଭାବ ପାଇଁ ବେଶ୍‌ ପରିଚିତ । ଆଗକୁ ସେ ଲୋକପ୍ରିୟ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସ୍ପିରିଟ୍‌’ରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ଲୁକ୍‌ରେ ବଡ଼ ପରିବର୍ତ୍ତନ କରାଯିବ ବୋଲି ଚର୍ଚ୍ଚା ହେଉଥିଲା । ପ୍ରଭାସଙ୍କ ପାଇଁ ମେକ୍‌ଓଭର୍‌ ଆର୍ଟିଷ୍ଟ ଆଲିମ୍ ହକିମ୍‌ଙ୍କୁ ଦାୟିତ୍ୱ ଦେଇଛନ୍ତି ସନ୍ଦୀପ।

Advertisment

ଏ ନେଇ ଆଲିମ୍ ଇନ୍‌ଷ୍ଟାରେ ଏକ ପୋଷ୍ଟ୍‌ ସେୟାର କରିବା ପରେ ଖବରଟି ସାମ୍ନାକୁ ଆସିଛି । ଏହା ପୂର୍ବରୁ ସେ ଫିଲ୍ମ ‘କବୀର ସିଂହ’ ପାଇଁ ଅଭିନେତା ଶାହିଦ କପୁରଙ୍କ ମେକ୍‌ଓଭର୍‌ କରିଥିବା ବେଳେ ଫିଲ୍ମ ‘ଆନିମଲ୍’ ପାଇଁ ରଣବୀର କପୁରଙ୍କର ଓ ଫିଲ୍ମ ‘ପେଡ୍ଡୀ’ ପାଇଁ ରାମଚରଣଙ୍କର ମେକ୍‌ଓଭର୍‌ କରିଥିଲେ । ଏବେ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କ ମେକ୍‌ଓଭର୍‌ କରିବା‌ର ସୁଯୋଗ ମିଳିବା ପରେ ସେ ବହୁତ ଖୁସିଥିବା କହିଛନ୍ତି ।

ତେବେ ଯଦି ଆମେ ଫିଲ୍ମର କାଷ୍ଟ୍‌କୁ ଦେଖିବା ତେବେ ପ୍ରଭାସଙ୍କ ବ୍ୟତୀତ ଏଥିରେ ଅଭିନେତ୍ରୀ ତୃପ୍ତି ଡିମ୍ରି ନଜର ଆସିବେ । ଏପର୍ଯ୍ୟନ୍ତ ଫିଲ୍ମର କାହାଣୀ ବା ଅନ୍ୟ କଳାକାରଙ୍କୁ ନେଇ କୌଣସି ସୂଚନା ଦେଇ ନାହାନ୍ତି ସନ୍ଦୀପ । ପୂର୍ବରୁ ପ୍ରଭାସଙ୍କ ବିପକ୍ଷରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ କାଷ୍ଟ୍‌ କରାଯାଇଥିଲା । ହେଲେ ସେ ଫିଲ୍ମରୁ ହଟିବା ପରେ ଏବେ ତୃପ୍ତି ଦିମ୍ରିଙ୍କୁ ସୁଯୋଗ ମିଳିଛି ।