କନକ ବ୍ୟୁରୋ: ହଜାର ହଜାର ହେକ୍ଟର ସରକାରୀ ଜମିକୁ ପ୍ରଭାବଶାଳୀ ଲୋକ କବଜା କରି ରଖିଛନ୍ତି। ବର୍ଷ ବର୍ଷ ଧରି ନିଜ ଜମି ଭଳି ବ୍ୟବହାର କରି ମାଲାମାଲ ହେଉଛନ୍ତି। ହେଲେ, ଏଣିକି ଆଉ ନିସ୍ତାର ନାହିଁ। ଜବରଦଖଲ ହୋଇଥିବା ସବୁ ସରକାରୀ ଜମିକୁ ଫେରାଇ ଆଣିବେ ସରକାର।
- ଜମି ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ
- ଜବରଦଖଲ ଉଛେଦ ପାଇଁ ରୋଡମ୍ୟାପ ପ୍ରସ୍ତୁତ
ସାରାରାଜ୍ୟରେ ଜମି ମାଫିଆଙ୍କ ରାଜ ଚାଲିଛି। ଏକରେ ନୁହେଁ କି ଦି ଏକର ନୁହେଁ; ଆଇନ କାନୁନ, ବିଧି ବ୍ୟବସ୍ଥାକୁ ମୋଡ଼ି ମକଚି ୧୦ହଜାର ଏକରରୁ ଅଧିକ ପରିମାଣର ଗୋଚର ଜମିକୁ କବଜାକୁ ନେଇଛନ୍ତି ଜବରଦଖଲକାରୀ। ବିଧାନସଭାରେ ଏହି ତଥ୍ୟ ସାମନାକୁ ଆସିବା ପରେ ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର।
ସରକାରଙ୍କ ଯେତେ ଜମି ଜବରଦଖଲକାରୀଙ୍କ କବଜାରେ ଅଛି ତାକୁ ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ। କହିଛନ୍ତି, ଜବରଦଖଲ ଉଛେଦ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇସାରିଛି। ବଡବଡିଆ ଜମି ଜବରଦଖଲକାରୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ତେବେ ଗରିବ ଜବରଦଖଲକାରୀଙ୍କୁ ଉଚିତ୍ ଥଇଥାନ କରାଯିବା ସହ ସୋମନଙ୍କୁ ଜମି ପଟ୍ଟା ଯୋଗାଇ ଦିଆଯିବ।
ବିଧାନସଭାରେ ଶାସକ ଦଳର ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀଙ୍କ ଲିଖିତ ଉତ୍ତରରେ ସାମ୍ନାକୁ ଆସିଥିଲା ରାଜ୍ୟର ମୋଟ ୧୧ଲକ୍ଷ ୨୦ ହଜାର ହେକ୍ଟରରୁ ଅଧିକ ଏକର ଜମି ଜବରଦଖଲକାରୀଙ୍କ କବଜାରେ ରହିଛି। ୧୦ ହଜାର ୯୭୧.୧୧୨ ଏକର ଗୋଚର ଜମି ହୋଇଛି ଜବରଦଖଲ। ଅନୁଗୁଳରେ ସର୍ବାଧିକ ୨ହଜାର ୯୧୪.୪୨୪ ଏକର ଗୋଚର ଜମି କବଜାରେ ରହିଛି।
- କେନ୍ଦୁଝରରେ ୧ହଜାର ୨୫.୮୯୯, କଳାହାଣ୍ଡିରେ ୯୪୧.୭୪ ଏକର ଜମି ଜବରଦଖଲ
- ନବରଙ୍ଗପୁରରେ ୯୦୧.୧୫ ଓ ଗଞ୍ଜାମରେ କବଜାରେ ରହିଛି ୪୭୩.୯୪୧ ଏକର ଗୋଚର
ବିଧାନସଭରେ ବିଭାଗୀୟ ମନ୍ତ୍ରୀ ଜମି ଜବରଦଖଲ ତଥ୍ୟ ରଖିବା ପରେ ତେଜିଛି ରାଜନୀତି। ମୁହାଁମୁହିଁ ଶାସକ-ବିରୋଧୀ। ତତ୍କାଳୀନ ବିଜେଡି ସରକାରର ପୃଷ୍ଠପୋଷକତାରେ ପ୍ରଭାବଶାଳୀ ମାନେ ଗୋଚର ଜମିକୁ କବଜାକୁ ନେଇଥିବା ବିଜେପି ଅଭିଯୋଗ କରିଛି। ଗୋଚର ଜମିକୁ ସରକାରୀ ତହବିଲକୁ ଫେରାଇ ଆଣିବାକୁ ରାଜ୍ୟ ସରକାର କଥାରେ ନକହି କାମରେ କରି ଦେଖାନ୍ତୁ ବୋଲି କହିଛି ବିଜେଡ଼ି।