କନକ ବ୍ୟୁରୋ : ବାତ୍ୟା ‘ଦାନା’ରେ ଗୁରୁତର ପ୍ରଭାବିତ ହୋଇଛି ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାର ବିଦ୍ୟୁତ ସେବା । ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନଓଡଏଲ) ପକ୍ଷରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବାବେଳେ ପ୍ରାୟ ୯୮ପ୍ରତିଶତ ଅଞ୍ଚଳକୁ ଏଯାବତ ବିଦ୍ୟୁତ ସଂଯୋଗ ହୋଇ ସାରିଛି । ସ୍ଥିତି ସ୍ଵାଭାବିକ କରିବା ପାଇଁ କର୍ମଚାରୀମାନେ ଆହୋରାତ୍ର କାର୍ଯ୍ୟରତ ଥିଲେ ହେଁ ଅଧିକାଂଶ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ପୁନରୁଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ।
ବାତ୍ୟା ପ୍ରଭାବରେ ବର୍ଷା ଯୋଗୁ ଜଳାର୍ଣ୍ଣବ ତଳିଆ ଅଞ୍ଚଳ । ଅକାତ ପାଣି, ନଈ ନାଳରେ ସରୀସୃପଙ୍କ ଭୟ । ଧାନ ବିଲରେ ମିଳୁନି ରାସ୍ତା । ପାଦେ ପାଦେ ରହିଛି ବିପଦ । ପାଣି କାଦୁଅରେ ପାଦ ସଳଖି ଛିଡ଼ା ହେବା କଷ୍ଟ । ହେଲେ ଏପରି ସ୍ଥିତିରେ ବି ଓଜନିଆ ବିଦ୍ୟୁତ ଖୁଣ୍ଟି ବୁହା ହେଉଛି । ତାର, ଶଙ୍ଖ ଭଳି ଭାରି ସାମଗ୍ରୀ କର୍ମଚାରୀ କାନ୍ଧେଇ ନେଉଛନ୍ତି । ମରମାତିରେ ମାତିଛନ୍ତି। ବିଲ, ଖାଲ, ବଣ ଜଙ୍ଗଲ, ନୟନଯୋରୀ ସବୁକୁ ଡେଉଁଛନ୍ତି । ବାତ୍ୟା ପରେ କିଭଳି ଲୋକେ ବିଦ୍ୟୁତ ସେବା ପାଇପାରିବେ, ଏ ସବୁ ପ୍ରତିକୂଳ ସ୍ଥିତିକୁ ସାମ୍ନା କରି ଟିପିଏନଓଡଏଲର କର୍ମଚାରୀମାନେ ବିଦ୍ୟୁତ ଭିତ୍ତିଭୂମି ପୁନରୁଦ୍ଧାର କାର୍ଯ୍ୟରେ କାର୍ଯ୍ୟରତ ।
ବାତ୍ୟାରେ ଭଦ୍ରକ ଜିଲ୍ଲା ଭଦ୍ରକ ସାଉଥ୍ ଓ ନର୍ଥ ଇଲେକ୍ଟ୍ରିକାଲ୍ ଡିଭିଜନ ଏବଂ ବାଲେଶ୍ବର ଜିଲ୍ଲାର ସୋର ଇଲେକ୍ଟ୍ରିକାଲ୍ ଡିଭିଜନରେ ଅଧିକ ମାତ୍ରାରେ କ୍ଷୟକ୍ଷତି ଘଟିଛି । ଭଦ୍ରକ ଜିଲ୍ଲାର ଧାମରା, ବାସୁଦେବପୁର, ଚାନ୍ଦବାଲି , ଇରମ, ର।ହଞ୍ଜ, ତିହିଡି ଅଞ୍ଚଳରେ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିବା ବେଳେ ସୋର ଡିଭିଜନ ଅଧୀନରେ ଔପଦା, ସୋର, ସିମୁଳିଆ, ବାହାନଗା, ଖଇରା ଆଦି ଅଞ୍ଚଳରେ ଅଧିକ ବାତ୍ୟା ପ୍ରଭାବିତ ହୋଇଛି । ବିଦ୍ୟୁତ୍ ଫିଡର, ବିଦ୍ୟୁତ ତାର ଉପରେ ବଡ଼ ବଡ଼ ଗଛ ପଡ଼ିବା ଏବଂ ପବନରେ ଖୁଣ୍ଟ ଭାଙ୍ଗିବା ଆଦି ଫଳରେ ବିଦ୍ୟୁତ ସେବା ବ୍ୟାଘାତ ଘଟିଛି ।
ବିଦ୍ୟୁତ ସେବା ସ୍ବାଭାବିକ କରିବା ପାଇଁ ଟିପିଏନ୍ଡିଏଲ୍ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସେବା ପ୍ରଭାବିକ କରିବା ପାଇଁ ଟିପିଏନଓଡିଏଲର ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଅଧିକାଂଶ ସ୍ଥାନରେ ବର୍ଷା ପରେ ପାଣି ଜମା ହୋଇଥିବାରୁ ପୁନରୁଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ସୂଚନା ମୁତାବକ ଟିପିଏନଓଡଏଲ ଅଧୀନରେ ୭୨ଟି ୩୩ କେଭି ଫିଡର, ୬୬୨ଟି ୧୧ କେଭି ଫିଡର, ୬୬ହଜାରରୁ ଅଧିକ ଡ଼ିଟିଆର ଏବଂ ୧୪.୫୫ ଲକ୍ଷ ଉପଭୋକ୍ତା ବାତ୍ୟା ଯୋଗୁ ପ୍ରଭାବିତ ହୋଇଥିଲେ । ଏଯାବତ୍ ସମସ୍ତ ୩୩ କେଭି ଓ ୧୧ କେଭି ଏବଂ ୬୪ହଜାର ଡ଼ିଟିଆର ମରାମତି ହୋଇ ସାରିଛି । ୯୮ପ୍ରତିଶତରୁ ଅଧିକ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ହୋଇଥିବାବେଳେ ଅବଶିଷ୍ଟ ଅଞ୍ଚଳରେ ସ୍ଥିତି ସ୍ବାଭାବିକ କରିବାକୁ କର୍ମଚାରୀମାନେ ତତ୍ପର ମଧ୍ୟ ଅଛନ୍ତି ।