କନକ ବ୍ୟୁରୋ: ଖରାଦିନେ ଲୋ- ଭୋଲଟେଜ୍ । ପୁରୀ ଜିଲ୍ଲା କଣାସ ଅଞ୍ଚଳର ଗରମରେ ସନ୍ତୁଳି ହେଉଛନ୍ତି ୧୦ ପଞ୍ଚାୟତର ଲୋକେ । ୨୦୧୫ରେ ଏହି ଅଞ୍ଚଳ ପାଇଁ ୩୩ କେଭି ବିଦ୍ୟୁତ୍ ସବ୍-ଷ୍ଟେସନ ନିର୍ମାଣ କରି ଉଦଘାଟନ ହୋଇଥିଲେ ବି ବିଦ୍ୟୁତ୍ ସଂଯୋଗ ହୋଇ ନଥିବାରୁ ଏଭଳି ସ୍ଥିତି ଉପୁଜିଛି ।
ବିଜୁଳି ଆଲୁଅ ଡିବିରି ଭଳି ଜଳୁଛି । ପଙ୍ଖା ଭଲ ଭାବେ ବୁଲୁ ନାହିଁ । ଫ୍ରିଜ୍, ଏସି, ଗ୍ରାଇଣ୍ଡର କଥା ନକହିବା ଭଲ । ଲୋକ ବିଦ୍ୟୁତ୍ ସେବା ପାଉଛନ୍ତି ସତ, କିନ୍ତୁ ଵିନା ଷ୍ଟାବିଲାଇଜରରେ କିଛି କାମ କରୁନାହିଁ । ପୁରୀ ଜିଲ୍ଲା କଣାସ ବ୍ଲକ୍ ଅନ୍ତର୍ଗତ ୧୦ଟି ପଞ୍ଚାୟତର ୫୦ ହଜାରରୁ ଅଧିକ ବିଦ୍ୟୁତ୍ ଉପଭୋକ୍ତା ସମସ୍ୟାରେ ପଡ଼ିଛନ୍ତି । ଲୋ- ଭୋଲଟେଜ୍ ସମସ୍ୟା ସମାଧାନ ପାଇଁ ୨୦୧୫ରେ କଣାସ ଜାମଳ ଗଦାରେ ୩୩ କେଭି ବିଦ୍ୟୁତ୍ ସବ୍- ଷ୍ଟେସନ ନିର୍ମାଣ କରାଯାଇଥିଲା। କିନ୍ତୁ ଉଦଘାଟନ ଦିନଠାରୁ କାର୍ଯ୍ୟକ୍ଷମ ହୋଇନାହିଁ ।
ଖୋର୍ଦ୍ଧାରୁ ତିରୁମଲ, ଡେଲାଙ୍ଗ, କଲ୍ୟାଣପୁର, କଣାସ ଦେଇ ଜାମଳଗଦା ବିଦ୍ୟୁତ୍ ସବ୍- ଷ୍ଟେସନକୁ ୩୩ କେଭି ଲାଇନ ଆସିଛି । ହେଲେ ଦୁଃଖର କଥା, ଦୀର୍ଘ ବର୍ଷ ହେଲା ବିଦ୍ୟୁତ୍ ସବ- ଷ୍ଟେସନ ସମ୍ପୂର୍ଣ ହୋଇଥିଲେ ମଧ୍ୟ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ସବ- ଷ୍ଟେସନ କାମରେ ଲାଗୁନାହିଁ। ଗଛଲତା ମାଡ଼ି ବିଦ୍ୟୁତ ସବ୍- ଷ୍ଟେସନ ନଷ୍ଟ ହେବାକୁ ବସିଲାଣି । ଏସମ୍ପର୍କରେ ସତ୍ୟବାଦୀ ବିଧାୟକ କହିଛନ୍ତି, ସମସ୍ୟା ସମାଧାନ ପାଇଁ ସେ ଚେଷ୍ଟା କରିବେ ।