Medicine Photograph: (Kanak News)
କନକ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ଲୋକସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ହେଉଛି ତାଙ୍କର କ୍ରମାଗତ ନବମ ବଜେଟ୍ । ଏହି ବଜେଟରେ ସରକାର ଭାରତୀୟ ଅର୍ଥବ୍ୟବସ୍ଥା ସହିତ ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ଦେଶରେ ବଢୁଥିବା ଜଟିଳ ରୋଗର ଚିକିତ୍ସା ପାଇଁ ଅର୍ଥମନ୍ତ୍ରୀ ୧୦,୦୦୦ କୋଟି ଟଙ୍କାର ବଜେଟ୍ ସହିତ 'ବାୟୋ ଫାର୍ମା ଶକ୍ତି' ଯୋଜନା ଘୋଷଣା କରିଛନ୍ତି।
୧୦,୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ
ସରକାର ଏହି ଯୋଜନା ପାଇଁ ୧୦,୦୦୦ କୋଟି ଟଙ୍କାର ଏକ ବିଶାଳ ପାଣ୍ଠି ରଖିଛନ୍ତି । ଏହି ଅର୍ଥ ମୁଖ୍ୟତଃ ଗବେଷଣା ଏବଂ ବିକାଶ କ୍ଷେତ୍ରରେ ବ୍ୟୟ କରାଯିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଭାରତ ବର୍ତ୍ତମାନ ସୁଦ୍ଧା ଜେନେରିକ୍ ଔଷଧ ପ୍ରସ୍ତୁତିରେ ବିଶ୍ୱରେ ଆଗରେ ରହିଛି, କିନ୍ତୁ ଏବେ ସରକାର ଚାହୁଛନ୍ତି ଯେ ଭାରତ ନିଜେ ନୂତନ ଏବଂ ଜଟିଳ ଔଷଧ ପ୍ରସ୍ତୁତ କରୁ ।ଭାରତରେ ବର୍ତ୍ତମାନ ରୋଗର ଶୈଳୀ ପରିବର୍ତ୍ତନ ହେଉଛି । ପୂର୍ବରୁ ସଂକ୍ରାମକ ରୋଗ ଯେପରିକି ମ୍ୟାଲେରିଆ, ହଇଜା ଅଧିକ ଥିଲା, କିନ୍ତୁ ଏବେ ଜୀବନଶୈଳୀ ସହ ଜଡ଼ିତ ରୋଗ ବଢୁଛି ।
ଆହୁରି ପଢ଼ନ୍ତୁ... ନିର୍ମଳାଙ୍କ ଶାଢ଼ିରେ ଝଲକୁଛି ନିଜ ଜନ୍ମମାଟିର ପରମ୍ପରା, ଏହି ଖାସ୍ ଶାଢ଼ି ପିନ୍ଧି କଲେ ବଜେଟ୍ ଉପସ୍ଥାପନ
ସେଗୁଡିକ ମଧ୍ୟରେ ଅନ୍ତର୍ଭୁକ୍ତ:
ଡାଇବେଟିସ୍: ଭାରତକୁ ବିଶ୍ୱର 'ଡାଏବେଟିସ୍ ରାଜଧାନୀ' କୁହାଯାଏ । ଏହାର ଉନ୍ନତ ଏବଂ ଶସ୍ତା ଚିକିତ୍ସା ପାଇଁ ଏହି ଯୋଜନା କାର୍ଯ୍ୟ କରିବ ।କ୍ୟାନ୍ସର: କ୍ୟାନ୍ସର ଚିକିତ୍ସା ଏବେ ମଧ୍ୟ ସାଧାରଣ ଲୋକଙ୍କ ପାଇଁ ବହୁତ ମହଙ୍ଗା। ସ୍ୱଦେଶୀ ଔଷଧ ନିର୍ମାଣ ହେଲେ ଏହାର ଖର୍ଚ୍ଚ କମିବ।
ଅଟୋ-ଇମ୍ୟୁନ ରୋଗ: ଯେଉଁଥିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ନିଜ କୋଷକୁ ନଷ୍ଟ କରେ । ଏଥିପାଇଁ ଦାମୀ 'ବାୟୋଲୋଜିକ୍ସ' ଔଷଧର ଆବଶ୍ୟକତା ରହିଛି।
'ବାୟୋ ଫାର୍ମା ଶକ୍ତି'ର ଲକ୍ଷ୍ୟ
ଏହି ଯୋଜନାର ସମ୍ପୂର୍ଣ୍ଣ ନାମ ହେଉଛି 'ବାୟୋ ଫାର୍ମା ଷ୍ଟ୍ରାଟେଜୀ ଫର ହେଲଥ ଆଡଭାନ୍ସମେଣ୍ଟ ଥ୍ରୁ ନଲେଜ ଟେକ୍ନୋଲୋଜି ଆଣ୍ଡ ଇନୋଭେସନ'। ଆଗାମୀ ୫ ବର୍ଷ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏହା ମାଧ୍ୟମରେ ଭାରତକୁ ଏକ ଗ୍ଲୋବାଲ୍ ବାୟୋ ଫାର୍ମା ହବ୍ ଭାବେ ଗଢି ତୋଳିବା ପାଇଁ ଲକ୍ଷ୍ୟ ରଖାଯାଇଛି ।ଏହି ଯୋଜନା ଅଧୀନରେ ୩ଟି ନୂତନ ଜାତୀୟ ସଂଗଠନ ପ୍ରତିଷ୍ଠା କରାଯିବ, ୭ଟି ବିଦ୍ୟମାନ ସଂଗଠନକୁ ଅପଗ୍ରେଡ୍ କରାଯିବ ଏବଂ ୧୦୦୦ଟି ମାନ୍ୟତା ପ୍ରାପ୍ତ କ୍ଲିନିକାଲ୍ ଡ୍ରଗ୍ ଟ୍ରାଏଲ୍ ସାଇଟ୍ ସ୍ଥାପନ କରାଯିବ । ଏହି ପଦକ୍ଷେପ ଦ୍ୱାରା ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ସହ ବିଶ୍ୱ ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ ହେବ ।
Follow Us